ନୂଆଦିଲ୍ଲୀ: ଉଜ୍ଜୟିନୀ ସ୍ଥିତ ପ୍ରସିଦ୍ଧ ଶ୍ରୀମହାକାଳେଶ୍ୱର ମନ୍ଦିରରେ ଚାଲୁଥିବା ଭିଆଇପି ଦର୍ଶନ ପ୍ରଥାକୁ ସୁପ୍ରିମ୍‌କୋର୍ଟ କାଏମ୍‌ ରଖିଛନ୍ତି। ଏହି ପ୍ରଥା ବିରୋଧରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ମଙ୍ଗଳବାର ଖାରଜ କରିଦେଇଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ—ଜଷ୍ଟିସ୍‌ ଆର୍‌ ମହାଦେବନ୍‌ ଓ ଜଷ୍ଟିସ୍‌ ଜୟମାଲ୍ୟ ବାଗଚୀ—ସ୍ପଷ୍ଟ କରିଛନ୍ତି ଯେ, ଏଭଳି ଧାର୍ମିକ ପ୍ରଶାସନିକ ବ୍ୟବସ୍ଥାରେ ନୀତି ନିର୍ଦ୍ଧାରଣ କରିବା କୋର୍ଟଙ୍କ କାର୍ଯ୍ୟ ନୁହେଁ।

ଆବେଦନକାରୀ ଦର୍ପଣ ଅବସ୍ଥି ମନ୍ଦିରର ଗର୍ଭଗୃହରେ ଭିଆଇପି ଓ ସାଧାରଣ ଭକ୍ତଙ୍କ ମଧ୍ୟରେ କୌଣସି ଭେଦଭାବ ନ ରଖି ସମାନ ଦର୍ଶନ ସୁଯୋଗ ଦେବାକୁ ଦାବି କରିଥିଲେ। ତାଙ୍କ ପକ୍ଷରୁ ଓକିଲ ବିଷ୍ଣୁ ଜୈନ ଯୁକ୍ତି ଦେଇ କହିଥିଲେ ଯେ, ପ୍ରତ୍ୟେକ ଭକ୍ତଙ୍କୁ ଗର୍ଭଗୃହ ପ୍ରବେଶ ଓ ଜଳାଭିଷେକର ସମାନ ଅଧିକାର ମିଳିବା ଉଚିତ।

ତେବେ କୋର୍ଟ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ଖଣ୍ଡପୀଠ କହିଥିଲେ ଯେ, ମନ୍ଦିର ପ୍ରବନ୍ଧନ ସମ୍ପର୍କିତ ନୀତି ଓ ବ୍ୟବସ୍ଥା ନିର୍ଦ୍ଧାରଣ କରିବା ଦାୟିତ୍ୱ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କର, କୋର୍ଟର ନୁହେଁ। କୋର୍ଟ ଯଦି ଏପରି ପ୍ରତ୍ୟେକ ପ୍ରବେଶ ଓ ଦର୍ଶନ ବ୍ୟବସ୍ଥାରେ ହସ୍ତକ୍ଷେପ କରିବା ଆରମ୍ଭ କରେ, ତେବେ ଏହା ନ୍ୟାୟିକ ସୀମାକୁ ଅତିକ୍ରମ କରିବ ବୋଲି ମୁଖ୍ୟ ବିଚାରପତି ମତ ପ୍ରକାଶ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଦର୍ପଣ ଅବସ୍ଥି ୨୦୨୫ ଅଗଷ୍ଟ ୨୮ରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟର ଶରଣାପଣ୍ଣ ହୋଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ପୂର୍ବରୁ ଖାରଜ କରିଦେଇଥିଲେ।

ଆବେଦନରେ ଦାବି କରାଯାଇଥିଲା ଯେ, ଶ୍ରୀମହାକାଳେଶ୍ୱର ଅଧିନିୟମ–୧୯୮୨ ଅନୁଯାୟୀ ଗଠିତ ମନ୍ଦିର ପ୍ରଶାସନିକ କମିଟିଙ୍କୁ ଭିଆଇପି, ରାଜନେତା କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରିବାର କ୍ଷମତା ନାହିଁ। ଏହି ପ୍ରଥା ଭାରତୀୟ ସମ୍ବିଧାନର ଧାରା ୧୪ ଓ ୨୫ର ଉଲ୍ଲଂଘନ ବୋଲି ଆବେଦନକାରୀ ଦାବି କରିଥିଲେ।

ତେବେ ସୁପ୍ରିମ୍‌କୋର୍ଟ ଏହି ଯୁକ୍ତିଗୁଡ଼ିକୁ ଅସ୍ୱୀକାର କରି ଆବେଦନକୁ ଖାରଜ କରିଦେଇଥିବା ସହ, ଆବେଦନକାରୀଙ୍କୁ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଯଥୋଚିତ ଆବେଦନ କରିବା ପାଇଁ ସ୍ୱାଧୀନତା ଦେଇଛନ୍ତି।