କାବୁଲ: ପାକିସ୍ତାନ ଓ ତାଲିବାନ ମଧ୍ୟରେ ତିବ୍ର ଉତ୍ତେଜନା ମଧ୍ୟରେ, କତାର ଓ ସାଉଦି ଆରବର ମଧ୍ୟସ୍ଥତା ପରେ ତାଲିବାନ ପାକିସ୍ତାନ ଉପରେ ଆକ୍ରମଣ ବନ୍ଦ କରିଛି। ଶନିବାର ରାତିରେ ପାକିସ୍ତାନ ବାୟୁସେନା ଦ୍ୱାରା କାବୁଲ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ସ୍ୱରୂପ ତାଲିବାନ ସୀମାରେ ତୀବ୍ର ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅନୁମାନିତ ୫୮ ଜଣ ପାକିସ୍ତାନୀ ସୈନିକ ମୃତ୍ୟୁ ଏବଂ ୩୦ ଜଣ ଆହତ ହୋଇଥିବା ଦାବି କରାଯାଇଛି। ତାଲିବାନ ଏହା ସହିତ ପାକିସ୍ତାନର ଅନେକ ସେନା ଚୌକି ଅକ୍ତିଆର କରିଥିବା ଅଭିଯୋଗ ମଧ୍ୟ ଉଠିଛି।

ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ବଡ଼ ସଂଘର୍ଷ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ସାଉଦି ଆରବ ଓ କତାର ରାଜନୟିକ ହସ୍ତକ୍ଷେପ ପରେ ତାଲିବାନ ଶାନ୍ତ ହୋଇ ଆକ୍ରମଣ ବନ୍ଦ କରିଛି।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଜାଣାଇଛନ୍ତି, “ଆମେ ସୀମାରେ ସଂଘର୍ଷ ବନ୍ଦ କରିଛୁ। କତାର ଓ ସାଉଦି ଆରବର ଅନୁରୋଧ ଏବଂ ମଧ୍ୟସ୍ଥତାରେ ଏହି ନିଷ୍ପତ୍ତି ନିଆଯାଇଛି। ଆମେ ଏହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଚାହୁଁଛୁ।”

ସାଉଦି ଆରବ, କତାର ଓ ଇରାନ ଏହି ସଂଘର୍ଷ ଉପରେ ଗଭୀର ଚିନ୍ତା ପ୍ରକାଶ କରିଥିଲେ ଏବଂ ଉଭୟ ଦେଶକୁ “ସଂଯମ, ଆଲୋଚନା ଓ ବୁଝାମଣା” ପାଇଁ ଆହ୍ୱାନ କରିଥିଲେ। ସାଉଦି ବିଦେଶ ମନ୍ତ୍ରଣାଳୟ ଜାଣାଇଛି, “ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବଢ଼ୁଥିବା ତିବ୍ରତା ଆମ ପାଇଁ ଚିନ୍ତାଜନକ। ଉଭୟ ଦେଶ ସଂଯମ ଅବଲମ୍ବନ କରି ଆଲୋଚନା ମାଧ୍ୟମରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବା ଉଚିତ।”