ନୂଆଦିଲ୍ଲୀ: ତେଲେଙ୍ଗାନାର ସଙ୍ଗାରେଡ୍ଡି ଜିଲ୍ଲାର ଏକ ରାସାୟନିକ ଔଷଧ କାରଖାନାରେ ସୋମବାର ସକାଳେ ହୋଇଥିବା ବିସ୍ଫୋରଣରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି, ଯେଉଁଥିରେ ୨୬ ଜଣ ଆହତ ହୋଇଛନ୍ତି। ଘଟଣା ସମୟରେ ଅନେକ ଶ୍ରମିକ କାମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ, ସକାଳ ପ୍ରାୟ ୯ଟା ସମୟରେ ସିଗାଚି କେମିକାଲ୍ସ କମ୍ପ୍ଲେକ୍ସ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିଲା, ଯାହାଫଳରେ ବଡ଼ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। ଘଟଣା ସୂଚନା ମିଳିବା ପରେ ୧୧୧ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କାର୍ଯ୍ୟରେ ଲାଗି ପଡ଼ିଥିଲେ।

ଘଟଣାସ୍ଥଳରେ ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକମାନେ କାମ କରୁଥିବା ବେଳେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଅନେକ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।

ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଃଖଦ ଘଟଣାପ୍ରତି ଶୋକ ପ୍ରକାଶ କରି ମୃତକଙ୍କ ପରିବାର ପାଇଁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କ ପାଇଁ ପଚାସ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଦୁର୍ଘଟଣା କାହିଁକି ଘଟିଲା ତାହା ନେଇ ତଦନ୍ତ ଜାରି ଅଛି।