ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ସୋକ୍‌ ପିଟ୍‌ ସଫା କାମ ସମୟରେ ବିଷାକ୍ତ ଗ୍ୟାସ୍‌ ପ୍ରଭାବରେ ଶନିବାର ସନ୍ଧ୍ୟାରେ ତିନି ଜଣଙ୍କ ଦୁର୍ଦାନ୍ତ ମୃତ୍ୟୁ ଘଟିଛି। ଏହି ଘଟଣା ହ୍ୱାଇଟ୍‌ଫିଲ୍ଡ ଅଞ୍ଚଳର ଇମ୍ମାଦିହଲ୍ଲୀ ମନ୍ଦିର ସର୍କଲ ନିକଟରେ ଘଟିଥିବା ପୁଲିସ ସୂଚନା ମିଳିଛି।

ମୃତକମାନେ ହେଲେ ଘରମାଲିକ ମୁନିଶାମାପ୍ପା (୬୭), ପ୍ଲମ୍ବର ରୁଦ୍ରକୁମାର (୪୦) ଏବଂ ଡେଲିଭରି କର୍ମଚାରୀ ବିଶ୍ୱନାଥ ଆଚାରୀ (୨୪)।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରାୟ ୧୨ ବର୍ଷ ପୂର୍ବେ ନିର୍ମିତ ଏହି ବର୍ଷାଜଳ ସୋକ୍‌ ପିଟ୍‌ରେ ଦୀର୍ଘଦିନ ଧରି ଜଳ ଓ ବର୍ଜ୍ୟବସ୍ତୁ ଜମା ହୋଇ ରହିଥିଲା। ସମୟ ସହିତ ସେଗୁଡ଼ିକ ପଚି ଭିତରେ ବିପଜ୍ଜନକ ଗ୍ୟାସ୍‌ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି।

ଦୁର୍ଗନ୍ଧ ହେବାରୁ ସୋକ୍‌ ପିଟ୍‌ ସଫା କରିବା ପାଇଁ ମୁନିଶାମାପ୍ପା ପ୍ରଥମେ ଗାତ ଭିତରକୁ ପ୍ରବେଶ କରିଥିଲେ। କିନ୍ତୁ ଭିତରେ ପହଞ୍ଚିବା ସହିତ ସେ ଶ୍ୱାସକଷ୍ଟ ଅନୁଭବ କରି ଅସୁସ୍ଥ ହୋଇ ପଡ଼ିଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇଥିବା ପ୍ଲମ୍ବର ରୁଦ୍ରକୁମାର ମଧ୍ୟ ବିଷାକ୍ତ ବାଷ୍ପର ପ୍ରଭାବରେ ଚେତା ହରାଇଥିଲେ।

ଏହା ଦେଖି ନିକଟରେ ଥିବା ବିଶ୍ୱନାଥ ଆଚାରୀ ଦୁଇଜଣଙ୍କୁ ସହାୟତା କରିବାକୁ ଯାଇଥିଲେ, କିନ୍ତୁ ସେ ମଧ୍ୟ ସମାନ ଭାବେ ଗ୍ୟାସ୍‌ରେ ପ୍ରଭାବିତ ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ତିନି ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ, ସେଠାରେ ଡାକ୍ତରମାନେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।

ହ୍ୱାଇଟ୍‌ଫିଲ୍ଡ ପୁଲିସ ଏହି ଘଟଣାରେ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ସଠିକ୍‌ କାରଣ ନେଇ ତଦନ୍ତ ଆରମ୍ଭ କରିଛି।