ନୂଆଦିଲ୍ଲୀ: ଟୋଲ୍‌ ପ୍ଲାଜା ଅତିକ୍ରମ କରିବା ପରେ ଯଦି ଗାଡ଼ିରୁ ଟୋଲ୍‌ ଶୁଳ୍କ କଟାଯାଇନଥାଏ, ତେବେ ଗାଡ଼ି ମାଲିକଙ୍କୁ ୭୨ ଘଣ୍ଟା ମଧ୍ୟରେ ବକେୟା ଟୋଲ୍‌ ଦେବାକୁ ପଡ଼ିବ। ଏହି ସମୟ ସୀମା ଅତିକ୍ରମ କଲେ ଅତିରିକ୍ତ ଶୁଳ୍କ ଦେବାକୁ ହେବ ବୋଲି Ministry of Road Transport and Highways ପକ୍ଷରୁ ଜଣାଯାଇଛି।

ମନ୍ତ୍ରଣାଳୟ ଜାତୀୟ ରାଜପଥ ଫି ନିୟମରେ ସଂଶୋଧନ କରି ଏହି ନୂଆ ବ୍ୟବସ୍ଥା ଲାଗୁ କରିଛି, ଯାହା ଗତକାଲିଠାରୁ କାର୍ଯ୍ୟକାରୀ ହୋଇଛି।

ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଗାଡ଼ି ଟୋଲ୍‌ ପ୍ଲାଜା ଅତିକ୍ରମ କରିଥାଏ ଏବଂ ଇଲେକ୍ଟ୍ରୋନିକ୍ ସିଷ୍ଟମରେ ସେଥିରେ ରେକର୍ଡ ହେଲେ ମଧ୍ୟ ଶୁଳ୍କ କଟାଯାଇନଥାଏ, ତେବେ ଗାଡ଼ି ମାଲିକଙ୍କୁ ଏସଏମଏସ, ଇମେଲ୍ କିମ୍ବା ମୋବାଇଲ୍ ଆପ୍‌ ମାଧ୍ୟମରେ ନୋଟିସ୍‌ ପଠାଯିବ।

ନୋଟିସ୍‌ ପାଇବା ପରେ ସାଧାରଣତଃ ଦୁଇଗୁଣା ଶୁଳ୍କ ଦେବା ବ୍ୟବସ୍ଥା ରହିଥିଲେ ମଧ୍ୟ, ଗାଡ଼ି ମାଲିକଙ୍କୁ ସୁବିଧା ଦେଇ ୭୨ ଘଣ୍ଟା ମଧ୍ୟରେ କେବଳ ମୂଳ ବକେୟା ଟୋଲ୍‌ ଦେବାର ଅବସର ଦିଆଯାଇଛି।

ସେହିପରି, ଗାଡ଼ି ମାଲିକମାନେ ଇ-ନୋଟିସ୍‌ ପାଇବା ପରେ ୭୨ ଘଣ୍ଟା ଭିତରେ ନିଜ ଅଭିଯୋଗ ଦାଖଲ କରିପାରିବେ। ଏହି ଅଭିଯୋଗକୁ ୫ ଦିନ ମଧ୍ୟରେ ସମାଧାନ କରିବା ପାଇଁ ପ୍ରୟାସ ହେବ। ଯଦି ସମୟରେ ସମାଧାନ ହେଉନଥାଏ, ତେବେ ସେହି ଫି ବାତିଲ ହେବ।

ଯଦି ୧୫ ଦିନ ମଧ୍ୟରେ ବକେୟା ଟୋଲ୍‌ ଦିଆଯାଇନଥାଏ, ତେବେ VAHAN portalରେ ସେହି ତଥ୍ୟ ରେକର୍ଡ ହେବ। ଏହା ପରେ ଗାଡ଼ି ସମ୍ପର୍କିତ ବିଭିନ୍ନ ସରକାରୀ ସେବା ଓ ପ୍ରକ୍ରିୟାରେ ବାଧା ଆସିପାରେ।