ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ ଘଣ୍ଟା ମଧ୍ୟରେ ଏୟାର୍‌ ଇଣ୍ଡିଆର ଦୁଇଟି ବିମାନ ସଂପୃକ୍ତ ଘଟଣା ଘଟିଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ବଡ଼ ଦୁର୍ଘଟଣା ଘଟିନି ଏବଂ ସମସ୍ତ ଯାତ୍ରୀ ନିରାପଦ ରହିଛନ୍ତି। ଗୋଟିଏ ଘଟଣାରେ ବିମାନର ଏପିୟୁରେ ଅଗ୍ନି ସତର୍କ ସୂଚନା ମିଳିବା ପରେ ବିମାନକୁ ଆକାଶରୁ ଫେରାଇ ଆଣାଯାଇଥିବାବେଳେ, ଅନ୍ୟ ଘଟଣାରେ ବିମାନର ଇଞ୍ଜିନ୍‌ ଏକ କଣ୍ଟେନରକୁ ଟାଣି ନେଇଥିଲା।

ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀରୁ ସିଙ୍ଗାପୁର ଅଭିମୁଖେ ଯାଉଥିବା ଏୟାର୍‌ ଇଣ୍ଡିଆର ଡ୍ରିମଲାଇନର୍ ବିମାନରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହୋଇଥିଲା। ବିମାନର ଅକ୍ଜିଲାରୀ ପାୱାର ୟୁନିଟ୍‌ (APU)ରେ ଅଗ୍ନି ସତର୍କ ସୂଚନା ମିଳିବା ପରେ ପାଇଲଟ୍‌ ସତର୍କତା ସହ ବିମାନକୁ ଫେରାଇବାର ସିଦ୍ଧାନ୍ତ ନେଇଥିଲେ। ପ୍ରାୟ ଏକ ଘଣ୍ଟା ଆକାଶରେ ରହିବା ପରେ ବିମାନଟି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ବିମାନରେ ପ୍ରାୟ ୧୯୦ ଜଣ ଯାତ୍ରୀ ଥିଲେ। ପରେ ସେମାନଙ୍କୁ ବିକଳ୍ପ ବିମାନରେ ସିଙ୍ଗାପୁର ପଠାଯାଇଥିଲା।

ଏୟାର୍‌ ଇଣ୍ଡିଆ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଜାନୁଆରି ୧୪ ତାରିଖରେ ଦିଲ୍ଲୀରୁ ସିଙ୍ଗାପୁର ଯାଉଥିବା ବିମାନ ଏଆଇ-୨୩୮୦ ଉଡ଼ାଣ ପରେ ବୈଷୟିକ ତ୍ରୁଟି ଦେଖାଦେବାରୁ ସତର୍କତା ମୂଳକ ଭାବେ ଫେରିଆସିଥିଲା ଏବଂ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିଥିଲା।

ଏହାଛଡ଼ା ଗୁରୁବାର ଦିନ ଆଉ ଏକ ଘଟଣାରେ ଦିଲ୍ଲୀ ବିମାନବନ୍ଦରରେ ଏୟାର୍‌ ଇଣ୍ଡିଆର ଏକ ବିମାନର ଇଞ୍ଜିନ୍‌ ଟ୍ୟାକ୍ସିଂ ସମୟରେ ଏକ କଣ୍ଟେନରକୁ ନିଜ ଭିତରକୁ ଟାଣି ନେଇଥିଲା। ଏହାରେ ଇଞ୍ଜିନ୍‌ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାଟିକୁ ବିମାନରେ ଥିବା ଜଣେ ଯାତ୍ରୀ ମୋବାଇଲ୍‌ କ୍ୟାମେରାରେ ଧରିଥିବା ଭିଡିଓ ସୋସିଆଲ୍‌ ମିଡିଆରେ ପ୍ରଚାରିତ ହୋଇଛି। ଏହି ଦ୍ୱିତୀୟ ଘଟଣା ସଂପର୍କରେ ଏୟାର୍‌ ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ ଆଧିକାରିକ ପ୍ରତିକ୍ରିୟା ମିଳିନି।