ଢ଼ାକା: ବାଂଲାଦେଶୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ପ୍ରମୁଖ ଅଭିଯୁକ୍ତ ଭାରତକୁ ପଳାଇଥିବା ଦାବି କରିଛି ଢାକା ମେଟ୍ରୋପଲିଟାନ୍ ପୁଲିସ (ଡିଏମପି)। ପୁଲିସ ଅନୁଯାୟୀ, ଅଭିଯୁକ୍ତମାନେ ବାଂଲାଦେଶ–ଭାରତ ସୀମାର ହାଲୁଆଘାଟ ଅଞ୍ଚଳ ଦେଇ ମେଘାଳୟକୁ ପ୍ରବେଶ କରିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଡିଏମପି ଅତିରିକ୍ତ କମିଶନର ଏସଏନ ନଜରୁଲ ଇସଲାମ କହିଛନ୍ତି ଯେ, ଫୈଜଲ କରିମ୍ ମାସୁଦ ଓ ଆଲମଗିର ଶେଖ ନାମକ ଦୁଇ ସନ୍ଦିଗ୍ଧ ସ୍ଥାନୀୟ ସହଯୋଗୀଙ୍କ ସାହାଯ୍ୟରେ ଭାରତକୁ ପଳାଇ ଯାଇଛନ୍ତି। ସୀମା ପାର୍ ହେବା ପରେ ‘ପୂର୍ତି’ ନାମକ ଜଣେ ବ୍ୟକ୍ତି ସେମାନଙ୍କୁ ସ୍ୱାଗତ କରିଥିଲେ ଏବଂ ‘ସାମି’ ନାମକ ଜଣେ ଟ୍ୟାକ୍ସି ଚାଳକ ସେମାନଙ୍କୁ ମେଘାଳୟର ତୁରା ସହରକୁ ନେଇଯାଇଥିବା ପୁଲିସ କହିଛି।

ଡିଏମପି ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କୁ ସହଯୋଗ କରିଥିବା ପୂର୍ତି ଓ ସାମିଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି। ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଫେରାଇ ଆଣିବା ପାଇଁ ବାଂଲାଦେଶ ସରକାର ଭାରତ ସହ ସକ୍ରିୟ ଯୋଗାଯୋଗରେ ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ସିଙ୍ଗାପୁରରେ ହାଦିଙ୍କ ମୃତ୍ୟୁ:

ଇନକିଲାବ ମଞ୍ଚର ମୁଖପାତ୍ର ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରମୁଖ ବିରୋଧୀ ସରିଫ ଓସମାନ ହାଦି ଢାକାର ପୁରୁଣା ପଲଟନ ଅଞ୍ଚଳରେ ନିର୍ବାଚନ ପ୍ରଚାର ସମୟରେ ଡିସେମ୍ବର ୧୨ ତାରିଖରେ ମୋଟରସାଇକେଲ ଆତତାୟୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ। ପ୍ରଥମେ ତାଙ୍କୁ ଢାକା ମେଡିକାଲ କଲେଜ ହସ୍ପିଟାଲରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା ଓ ପରେ ଉନ୍ନତ ଚିକିତ୍ସା ପାଇଁ ସିଙ୍ଗାପୁରକୁ ଏୟାରଲିଫ୍ଟ କରାଯାଇଥିଲା। ସିଙ୍ଗାପୁର ଜେନେରାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବାକୁ ଇନକିଲାବ ମଞ୍ଚ ଫେସବୁକ୍ ପୋଷ୍ଟ ମାଧ୍ୟମରେ ନିଶ୍ଚିତ କରିଥିଲା।