ନୂଆଦିଲ୍ଲୀ: ଆସନ୍ତା ଫେବୃଆରି ୧ରେ ପ୍ରସ୍ତୁତ ହେବାକୁ ଥିବା କେନ୍ଦ୍ରୀୟ ବଜେଟ୍କୁ ନେଇ ସମଗ୍ର ଦେଶର ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। କିଏ ରୋଷେଇ ଖର୍ଚ୍ଚରେ ରାହତ ଆଶା କରୁଛି, ତ କିଏ ନୂଆ ଚାକିରି ସୁଯୋଗ ଓ ଟିକସ ଛାଡ଼ ପାଇଁ ଅପେକ୍ଷା କରୁଛି। ବଜେଟ୍ ପୂର୍ବରୁ ପ୍ରକାଶିତ ଆର୍ଥିକ ସର୍ଭେରେ କିଛି ମୁଖ୍ୟ କ୍ଷେତ୍ରକୁ ନେଇ ସଙ୍କେତ ମିଳିଛି।
ଗୃହ ଋଣ ଓ ସମ୍ପତ୍ତି କ୍ଷେତ୍ରରେ ରାହତର ଆଶା
ସମ୍ପତ୍ତି ମୂଲ୍ୟ ବୃଦ୍ଧି ସହ ଗୃହ ଋଣର ଚାପ ବଢ଼ୁଥିବାରୁ ଘର କିଣିବାକୁ ଚାହୁଁଥିବା ଲୋକ ଟିକସ ରିହାତି ଆଶା କରୁଛନ୍ତି। ବର୍ତ୍ତମାନ ଆୟକର ଆଇନର ଧାରା ୨୪(ବି) ଅନୁଯାୟୀ ଗୃହ ଋଣ ସୁଧ ଉପରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳୁଛି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହାକୁ ବଢ଼ାଇବା ପାଇଁ ଦାବି ହେଉଛି। ବିଶେଷଜ୍ଞମାନଙ୍କ ମତାନୁସାରେ, ବଜେଟ୍ ୨୦୨୬-୨୭ରେ ଟିକସ ସ୍ଲାବକୁ ସରଳ କରିବା ସହ ଗୃହ ଋଣ ଓ ବୀମା କ୍ଷେତ୍ରରେ ଅତିରିକ୍ତ ସୁବିଧା ଘୋଷଣା ହୋଇପାରେ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ବିସ୍ତାରର ସମ୍ଭାବନା
ଆର୍ଥିକ ସର୍ଭେ ଅନୁଯାୟୀ, ଦେଶରେ ସ୍ୱାସ୍ଥ୍ୟ ସେବାର ପରିସର ବଢ଼ୁଛି ଓ ବଜେଟ୍ରେ ଏହାକୁ ଆହୁରି ଶକ୍ତିଶାଳୀ କରାଯାଇପାରେ। ସ୍ୱାସ୍ଥ୍ୟ ବୀମା ଯୋଜନାର ପରିଧି ବଢ଼ାଇ ଅଧିକ ଲୋକଙ୍କୁ ଆବରଣ କରିବା ଓ ଦୀର୍ଘକାଳୀନ ଚିକିତ୍ସା ସୁବିଧା ଯୋଗାଇବା ଉପରେ ଜୋର ଦିଆଯାଇପାରେ। ଏହା ଦ୍ୱାରା ସରକାରୀ ସ୍ୱାସ୍ଥ୍ୟ ସେବାକୁ ଲାଭ ମିଳିବା ସହ ବେସରକାରୀ ହସ୍ପିଟାଲ ଉପରେ ଚାପ ବଢ଼ିପାରେ।
ଜିଡିପି ଅଭିବୃଦ୍ଧି ଓ ଅର୍ଥନୀତିର ଦିଗ
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୬.୮ ପ୍ରତିଶତରୁ ୭.୨ ପ୍ରତିଶତ ମଧ୍ୟରେ ରହିପାରେ ବୋଲି ଅନୁମାନ। ଚଳିତ ଆର୍ଥିକ ବର୍ଷରେ ଜିଡିପି ବୃଦ୍ଧି ୭.୪ ପ୍ରତିଶତ ଥିବା ବେଳେ ଆଗାମୀ ବର୍ଷରେ ସାମାନ୍ୟ କମିପାରେ। ତଥାପି ଭାରତ ବିଶ୍ୱର ସବୁଠୁ ଦ୍ରୁତ ଗତିରେ ବୃଦ୍ଧିଶୀଳ ଅର୍ଥନୀତି ଭାବେ ରହିବାର ଆଶା ରହିଛି। ଏହା ସହ ଆମେରିକା ସହ ବାଣିଜ୍ୟିକ ଚୁକ୍ତିକୁ ମଧ୍ୟ ସର୍ଭେରେ ଗୁରୁତ୍ୱ ଦିଆଯାଇଛି। ରେଟିଂ ଏଜେନ୍ସି ‘ଆଇସିଆରଏ’ ଅନୁସାରେ ସରକାର ରାଜକୋଷୀୟ ଘାଟତିକୁ ୪.୩ ପ୍ରତିଶତ ମଧ୍ୟରେ ରଖିବାକୁ ଚେଷ୍ଟା କରିପାରେ।
ଶିଳ୍ପ, ଉର୍ଜା ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ଆଶା
ଶିଳ୍ପ କ୍ଷେତ୍ର ଜିଏସଟି ସମସ୍ୟା ସମାଧାନ ସହ କଞ୍ଚାମାଲ ଉପରେ ଟିକସ କମାଇବା ଦାବି କରୁଛି। ଏହା ଦ୍ୱାରା ଦେଶରେ ଉତ୍ପାଦନ ଖର୍ଚ୍ଚ କମିବାର ସମ୍ଭାବନା ରହିଛି। ଶକ୍ତି କ୍ଷେତ୍ରରେ ସୌର ଶକ୍ତି ଓ ନୂତନ ପ୍ରଯୁକ୍ତି ପାଇଁ ଅଧିକ ବଜେଟ୍ ବ୍ୟବସ୍ଥା ହେବା ଆଶା ରହିଛି। ଏହା ସହ ଏମଏସଏମଇ ଓ ଷ୍ଟାର୍ଟଅପ୍ କ୍ଷେତ୍ର ପାଇଁ ସହଜ ଋଣ ଓ ଟିକସ ନିୟମରେ ରାହତ ମିଳିପାରେ।
ନିବେଶକ ଓ ସାଧାରଣ ଲୋକଙ୍କ ଆଶା
ଶେୟାର ବଜାର ନିବେଶକମାନେ ସିକ୍ୟୁରିଟି ଟ୍ରାଞ୍ଜାକସନ୍ ଟ୍ୟାକ୍ସ (STT) କମାଇବା ଓ କ୍ୟାପିଟାଲ ଗେନ୍ ଟ୍ୟାକ୍ସରେ ଛାଡ଼ ଆଶା କରୁଛନ୍ତି। ଏହା ସହ ମହିଳା ସ୍ୱାସ୍ଥ୍ୟ, ଗୁରୁତର ରୋଗ ଚିକିତ୍ସା, ଶିକ୍ଷାରେ ଡିଜିଟାଲ କ୍ଲାସରୁମ୍ ଓ କୃଷି କ୍ଷେତ୍ରରେ ଫାର୍ମର୍ ପ୍ରୋଡ୍ୟୁସର ଅର୍ଗାନାଇଜେସନ୍ (FPO) କୁ ଶକ୍ତିଶାଳୀ କରିବା ପାଇଁ ଅଧିକ ଆର୍ଥିକ ସହାୟତା ଘୋଷଣା ହୋଇପାରେ।
ଏହି ସମସ୍ତ ଆଶା ଓ ଅନୁମାନ ମଧ୍ୟରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ପେଡ଼ିରୁ କାହାକୁ କଣ ମିଳିବ, ତାହା ଫେବୃଆରି ୧ରେ ସ୍ପଷ୍ଟ ହେବ।





