ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ଥିଙ୍କ୍ ଟ୍ୟାଙ୍କ୍ କାଉନ୍ସିଲ ଅନ୍ ଫରେନ୍ ରିଲେସନ୍ସ (CFR) ପକ୍ଷରୁ ପ୍ରକାଶିତ ଏକ ନୂଆ ରିପୋର୍ଟରେ ୨୦୨୬ ସାଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗୁରୁତର ସଂଘର୍ଷ ଘଟିବାର ଆଶଙ୍କା ପ୍ରକାଶ କରାଯାଇଛି। ରିପୋର୍ଟ ଅନୁସାରେ, କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଏହି ସମ୍ଭାବ୍ୟ ଯୁଦ୍ଧର ମୁଖ୍ୟ କାରଣ ହୋଇପାରେ।
CFR ରିପୋର୍ଟରେ କୁହାଯାଇଛି ଯେ, ଉଭୟ ଦେଶ ଦ୍ୱାରା ଅସ୍ତ୍ର କ୍ରୟ ଓ ସେନା ସାମର୍ଥ୍ୟ ବୃଦ୍ଧି ଉତ୍ତେଜନାକୁ ଆହୁରି ଗଭୀର କରୁଛି। ପାକିସ୍ତାନ ଚୀନ୍ ପ୍ରଦତ୍ତ ଅସ୍ତ୍ରଶସ୍ତ୍ର ଉପରେ ବହୁତାଂଶ ନିର୍ଭରଶୀଳ ଥିବାବେଳେ, ସେ ନିଜର ଯୁଦ୍ଧବିମାନ ସଂଖ୍ୟା ବଢ଼ାଇବାକୁ ଜୋରଦାର ପ୍ରୟାସ ଚାଲୁ ରଖିଛି। ଅନ୍ୟପଟେ, ଭାରତ ମଧ୍ୟ ପ୍ରତିରକ୍ଷା ବଜେଟ୍ ବୃଦ୍ଧି କରି ଅତ୍ୟାଧୁନିକ ଅସ୍ତ୍ର ଓ ତ୍ୱରିତ ପ୍ରତିକ୍ରିୟା ରଣନୀତିରେ ଗୁରୁତ୍ୱ ଦେଉଛି।
ରିପୋର୍ଟରେ ପହଲ୍ଗାମ ଆକ୍ରମଣ ପରେ ହୋଇଥିବା ଭାରତର ‘ଅପରେସନ୍ ସିନ୍ଦୂର’ ଭଳି ଘଟଣା ଆଗାମୀ ବର୍ଷ ପୁନରାବୃତ୍ତି ହେଲେ, ଦୁଇ ପରମାଣୁ ଶକ୍ତିସଂପନ୍ନ ଦେଶ ମଧ୍ୟରେ ପୂର୍ଣ୍ଣାଙ୍ଗ ଯୁଦ୍ଧ ଘଟିବାର ଜୋଖିମ ରହିଥିବା କୁହାଯାଇଛି। କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ଦ୍ୱାରା ଲଗାତାର ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ମଧ୍ୟ ରିପୋର୍ଟରେ ଉଲ୍ଲେଖ ହୋଇଛି।
ପରମାଣୁ ଅସ୍ତ୍ର ସାମର୍ଥ୍ୟ ଥିବାରୁ ଏପରି ଯୁଦ୍ଧର ପରିଣାମ ଅତ୍ୟନ୍ତ ଭୟାବହ ହେବ ବୋଲି CFR ସତର୍କ କରିଛି। ତେବେ, ପୂର୍ବରୁ ଯୁଦ୍ଧବିରତି ସମ୍ଭବ ହୋଇଥିବା ଉଦାହରଣ ଦେଇ ରିପୋର୍ଟ କହିଛି ଯେ କୂଟନୈତିକ ଉଦ୍ୟମ ମାଧ୍ୟମରେ ଉତ୍ତେଜନାକୁ ନିୟନ୍ତ୍ରଣ କରାଯାଇପାରେ।
ଏହି ପରିପ୍ରେକ୍ଷିତରେ, ଆମେରିକା ସହ ଅନ୍ୟ ପ୍ରଭାବଶାଳୀ ଦେଶମାନଙ୍କୁ ଦକ୍ଷିଣ ଏସିଆର ସ୍ଥିରତା ରକ୍ଷା ପାଇଁ ମଧ୍ୟସ୍ଥତା ଭୂମିକା ନେବାକୁ ରିପୋର୍ଟ ପରାମର୍ଶ ଦେଇଛି। ଯୁଦ୍ଧବିରତି ସତ୍ତ୍ୱେ ଭାରତ ଓ ପାକିସ୍ତାନ ମଧ୍ୟରେ ଅବିଶ୍ୱାସର ପରିବେଶ ଜାରି ରହିଥିବା ବେଳେ, ଆତଙ୍କବାଦ ମାମଲାରେ ଭାରତର ଶୂନ୍ୟ ସହନଶୀଳ ନୀତି ଏବଂ ପାକିସ୍ତାନର ଭୂମିକା ଉତ୍ତେଜନାର ମୁଖ୍ୟ କାରକ ରହିଛି ବୋଲି ରିପୋର୍ଟ ଉଲ୍ଲେଖ କରିଛି।





