ନୂଆଦିଲ୍ଲୀ, ୧୪।୧: ଆମେରିକା ସରକାର ଇମିଗ୍ରେସନ ନୀତିକୁ ଆହୁରି କଡ଼ା କରି ବଡ଼ ପଦକ୍ଷେପ ନେଇଛନ୍ତି। ରୁଷିଆ ଓ ଇରାନ ସମେତ ୭୫ଟି ଦେଶର ନାଗରିକଙ୍କ ପାଇଁ ଭିସା ପ୍ରକ୍ରିୟାକୁ ଅସ୍ଥାୟୀ ଭାବରେ ରୋକି ଦିଆଯାଇଛି। ଏହି ନୂଆ ବ୍ୟବସ୍ଥା ୨୧ ଜାନୁଆରୀ ୨୦୨୬ରୁ କାର୍ଯ୍ୟକାରୀ ହେବ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଲାଗୁ ରହିବ।
ଆମେରିକା ସରକାର କହିଛନ୍ତି ଯେ “ପବ୍ଲିକ ଚାର୍ଜ” (Public Charge) ନିୟମକୁ କଡ଼ାକରି ପାଳନ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଯେଉଁ ଆବେଦନକାରୀମାନେ ଭବିଷ୍ୟତରେ ଆମେରିକାର ସରକାରୀ ସହାୟତା କିମ୍ବା ପବ୍ଲିକ ବେନିଫିଟ୍ସ ଉପରେ ନିର୍ଭର କରିପାରନ୍ତି, ସେମାନଙ୍କୁ ଭିସା ଦେବାକୁ ମନା କରାଯିବ।
କେଉଁ ଦେଶଗୁଡ଼ିକ ପ୍ରଭାବିତ?
ଏହି ତାଲିକାରେ ରୁଷିଆ, ଇରାନ, ଆଫଗାନିସ୍ତାନ, ସୋମାଲିଆ, ଇରାକ, ମିଶର, ବ୍ରାଜିଲ, ନାଇଜେରିଆ, ଥାଇଲ୍ୟାଣ୍ଡ, ଯେମେନ ଭଳି ଦେଶ ଅନ୍ତର୍ଭୁକ୍ତ ରହିଛନ୍ତି। ଏକ ଅଭ୍ୟନ୍ତରୀଣ ମେମୋ ମାଧ୍ୟମରେ ସମସ୍ତ ଆମେରିକୀୟ ଦୂତାବାସ ଓ କନସୁଲେଟ୍କୁ ଏହି ନିର୍ଦ୍ଦେଶ ପଠାଯାଇଛି। ସୋମାଲିଆ ଉପରେ ବିଶେଷ ଭାବେ କଡ଼ା ନଜର ରଖାଯାଇଛି।
କାହିଁକି ନିଆଯାଇଛି ଏହି ନିଷ୍ପତ୍ତି?
ଷ୍ଟେଟ୍ ଡିପାର୍ଟମେଣ୍ଟ ୨୦୨୫ ନଭେମ୍ବରରେ ଜାରି କରିଥିବା ଏକ ସର୍କୁଲାର୍ ଅନୁଯାୟୀ, କନସୁଲର୍ ଅଧିକାରୀମାନେ ଭିସା ଆବେଦନ ସମୟରେ ଆବେଦନକାରୀଙ୍କ ବୟସ, ସ୍ୱାସ୍ଥ୍ୟ, ଇଂରାଜୀ ଭାଷା ଦକ୍ଷତା, ଦୀର୍ଘକାଳୀନ ଚିକିତ୍ସା ଆବଶ୍ୟକତା ଭଳି ଦିଗଗୁଡ଼ିକୁ ଗଭୀର ଭାବେ ଯାଞ୍ଚ କରିବେ। ଯଦି କୌଣସି ଆବେଦନକାରୀ ଆଗାମୀଦିନରେ ସରକାରୀ ସହାୟତା ଉପରେ ନିର୍ଭର କରିବାର ସମ୍ଭାବନା ଥାଏ, ତେବେ ତାଙ୍କର ଭିସା ଆବେଦନ ଖାରଜ ହେବ।
ଷ୍ଟେଟ୍ ଡିପାର୍ଟମେଣ୍ଟର କହିବା ଅନୁଯାୟୀ, ଆମେରିକାର ଉଦାରତାର ଦୁରୁପଯୋଗ ରୋକିବା ଏବଂ ଦେଶର ଆର୍ଥିକ ସ୍ଥିରତା ସହ ଜାତୀୟ ସୁରକ୍ଷା ରକ୍ଷା କରିବା ହେଉଛି ଏହି ନୀତିର ମୁଖ୍ୟ ଲକ୍ଷ୍ୟ। ଟ୍ରମ୍ପ ପ୍ରଶାସନର ଏହି କଡ଼ା ଇମିଗ୍ରେସନ ନୀତି ଫଳରେ ପ୍ରଭାବିତ ଦେଶଗୁଡ଼ିକର ନାଗରିକମାନେ ଏବେ ଆମେରିକୀୟ ଭିସା ପାଇବାରେ ଗଭୀର ସମସ୍ୟାର ସାମ୍ନା କରିପାରନ୍ତି।





