ଡେରାଡୁନ: ଉତ୍ତରାଖଣ୍ଡ ପୁଣିଥରେ ପ୍ରକୃତିର କୋପରେ କମ୍ପିଉଠିଛି । ଚମୋଲି ଜିଲ୍ଲାର ଥରାଲିରେ ଶୁକ୍ରବାର ମଧ୍ୟରାତିରେ ବାଦଲଫଟା ବର୍ଷା ପରେ ସମଗ୍ର ଅଞ୍ଚଳ ପ୍ରଳୟରେ ବିପର୍ଯ୍ୟସ୍ତ ହୋଇଗଲା । କାଦୁଅମିଶା ପାଣି ସହିତ ପାହାଡ଼ରୁ ପଥର ତୀବ୍ର ବେଗରେ ତଳକୁ ଆସିଥିବାରୁ ଘର, ଦୋକାନ, କାର୍ଯ୍ୟାଳୟ ଏବଂ ବଜାର ମୁହୂର୍ତ୍ତରେ ପାଣିରେ ବହିଗଲା ।

ଥରାଲି ବଜାର, କୋଟଦୀପ ଓ ଥରାଲି ତହସିଲ କମ୍ପ୍ଲେକ୍ସରେ ବ୍ୟାପକ କ୍ଷତି ହୋଇଛି । ଏସଡିଏମ୍ ବାସଭବନ ସହିତ ଅନ୍ୟାନ୍ୟ କୋଠାବାଡ଼ିରେ ପାଣି ପଶିଗଲା । ଜାତୀୟ ରାଜପଥ କାଦୁଅମିଶା ପାଣି ଏବଂ ଆବର୍ଜନାରେ ଅବରୋଧିତ ହୋଇଥିଲା ।

ପ୍ରଳୟରେ କେହି ଜୀବନ ହାରିଥିବା, କେହି ଆହତ ହୋଇଥିବା ଖବର ମିଳିଛି । ରାତିରେ ହଠାତ୍ ହୋଇଥିବା ଏହି ପ୍ରଳୟ ଲୋକଙ୍କୁ ସଚେତନ ହେବାର ସମୟ ମଧ୍ୟ ଦେଇନି ।

କେବଳ ୧୫ ଦିନ ତଳେ ଉତ୍ତରାଖଣ୍ଡର ଅନ୍ୟାନ୍ୟ ଅଞ୍ଚଳ ପ୍ରଳୟରେ ଜର୍ଜରିତ ହୋଇଥିବା ବେଳେ, ପୁଣିଥରେ ଥରାଲିରେ ପ୍ରକୃତିର କୋପ ଦେଖାଦେବାରୁ ରାଜ୍ୟରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି । ବାରମ୍ବାର ପ୍ରାକୃତିକ ବିପଦରେ ପୀଡ଼ିତ ଉତ୍ତରାଖଣ୍ଡ ପୁଣିଥରେ ଅପରୀମିତ କ୍ଷତି ସହିଛି ।