ସମ୍ବାଦ: କୋଲକାତା, ୩ ଜାନୁଆରୀ: ପଶ୍ଚିମବଙ୍ଗରେ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କିତ ଏକ ପୁରୁଣା ମାମଲାରେ ଭାରତୀୟ ନିର୍ବାଚନ କମିଶନ (ECI) ପୁଣିଥରେ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ମାମଲାରେ ଚାରିଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ସହିତ ସେମାନଙ୍କ ବିରୁଦ୍ଧରେ FIR ରୁଜୁ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ନିର୍ବାଚନ କମିଶନ ପୂର୍ବ ମେଦିନୀପୁର ଓ ଦକ୍ଷିଣ ୨୪ ପରଗନା ଜିଲାର ଜିଲା ମାଜିଷ୍ଟ୍ରେଟମାନଙ୍କୁ, ମୋଇନା ଓ ବାରୁଇପୁର ପୂର୍ବ ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ FIR ଦାଖଲ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି। ଏହି ମାମଲାରେ ERO, AERO ଏବଂ ଜଣେ ଡାଟା ଏଣ୍ଟ୍ରି ଅପରେଟର ସମେତ ମୋଟ ୪ ଜଣ ଅଧିକାରୀ ଓ କର୍ମଚାରୀ ଅଭିଯୁକ୍ତ।
କିଛି ମାସ ପୂର୍ବରୁ ଏହି ବିବାଦ ଉପରେ ନିର୍ବାଚନ କମିଶନ ଧ୍ୟାନ ଆକର୍ଷିତ ହୋଇଥିଲା। ସେତେବେଳେ ତତ୍କାଳୀନ ମୁଖ୍ୟ ସଚିବଙ୍କୁ ଦିଲ୍ଲୀରେ ECI ସମ୍ମୁଖରେ ଡାକାଯାଇଥିଲା ଏବଂ ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ FIR ଦାଖଲ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ମିଳିଥିଲା। ତଥାପି, ନିଲମ୍ବନ ହେଲେ ମଧ୍ୟ FIR ରୁଜୁ ନହେବାରୁ ପ୍ରଶ୍ନ ଉଠିଥିଲା।
ଏହା ପରେ ECI ଏକ ନୂତନ ନିର୍ଦ୍ଦେଶନାମା ଜାରି କରି, ସ୍ପଷ୍ଟ କରିଛି ଯେ ଭୋଟର ତାଲିକା ସମ୍ପର୍କିତ ଅନିୟମିତତା ମାମଲାରେ FIR ଦାଖଲ କରିବାର ସରାସରି କ୍ଷମତା ଜିଲା ନିର୍ବାଚନ ଅଧିକାରୀଙ୍କ ପାଖରେ ରହିବ। ଏଥିପାଇଁ ସେମାନେ ରାଜ୍ୟ ସରକାର କିମ୍ବା ମୁଖ୍ୟ ସଚିବଙ୍କ ଉପରେ ନିର୍ଭର କରିବେ ନାହିଁ।
ନିର୍ବାଚନ କମିଶନ କହିଛି ଯେ ଏଆଇ ଆଧାରିତ ଯାଞ୍ଚରେ ଭୋଟର ତାଲିକାରେ ନକଲି ଭୋଟର ନାମ ଯୋଡ଼ାଯାଇଥିବା ସୂଚନା ମିଳିଥିଲା। ଏହାକୁ ଗୁରୁତର ଅଭିଯୋଗ ଭାବେ ଗ୍ରହଣ କରି, ECI ସମ୍ପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ FIR ଦାଖଲ ଏବଂ ନିଲମ୍ବନ ପାଇଁ କଠୋର ନିଷ୍ପତ୍ତି ନେଇଛି।





