ନୂଆଦିଲ୍ଲୀ:

ସ୍ବିଜରଲାଣ୍ଡର ଡାଭୋସ୍‌ରେ ଚାଲିଥିବା ବିଶ୍ବ ଅର୍ଥନୈତିକ ଫୋରମ୍‌ (WEF) କାର୍ଯ୍ୟକ୍ରମ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରସ୍ତାବିତ ‘ଗାଜା ଶାନ୍ତି ବୋର୍ଡ’ର ଉନ୍ମୋଚନ କରିଥିଲେ। ଗାଜାରେ ଶାନ୍ତି ପ୍ରତିଷ୍ଠା ଓ ଯୁଦ୍ଧବିରତିକୁ ଦୃଢ଼ କରିବା ଲକ୍ଷ୍ୟରେ ଆମେରିକା ଏହି ପଦକ୍ଷେପ ନେଇଥିବା କହିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଭାରତ ଅନୁପସ୍ଥିତ ରହିଥିବା ନେଇ ଆନ୍ତର୍ଜାତିକ ମହଳରେ ଚର୍ଚ୍ଚା ହେଉଛି।

କାହିଁକି ଯୋଗ ଦେଲାନି ଭାରତ?

ଟ୍ରମ୍ପଙ୍କ ଶାନ୍ତି ବୋର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସହ ଅନେକ ବିଶ୍ବସ୍ତରୀୟ ନେତାଙ୍କ ନାମ ଥିବା ସତ୍ତ୍ୱେ ଭାରତ ଏଥିରେ ଯୋଗଦେବାକୁ ନେଇ ସତର୍କ ରହିଛି। ଗାଜା ସଂଘର୍ଷ ସହ ଜଡିତ ଅତ୍ୟନ୍ତ ସମ୍ବେଦନଶୀଳ ରାଜନୈତିକ ଓ କୂଟନୈତିକ ପ୍ରସଙ୍ଗଗୁଡ଼ିକୁ ଧ୍ୟାନରେ ରଖି ଭାରତ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଏହିକାରଣରୁ ଡାଭୋସ୍‌ରେ ହୋଇଥିବା ଟ୍ରମ୍ପଙ୍କ କାର୍ଯ୍ୟକ୍ରମରେ ଭାରତୀୟ ପ୍ରତିନିଧିତ୍ୱ ଦେଖାଯାଇନଥିଲା।

ଅନ୍ୟପଟେ ତୁର୍କୀ, ଇଜିପ୍ଟ, ସାଉଦି ଆରବ, କତାର, ୟୁଏଇ ପରି ମଧ୍ୟପ୍ରାଚ୍ୟ ଦେଶ ସହିତ ପାକିସ୍ତାନ ଓ ଇଣ୍ଡୋନେସିଆ ଏହି ଗାଜା ଶାନ୍ତି ବୋର୍ଡରେ ଯୋଗ ଦେଇଛନ୍ତି।

ଗୁରୁବାର ସ୍ବିଜରଲାଣ୍ଡର ଏକ ରିସୋର୍ଟରେ ଟ୍ରମ୍ପ ଶାନ୍ତି ବୋର୍ଡ ସମ୍ପର୍କରେ ଘୋଷଣା କରୁଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସେଠାରେ ଉପସ୍ଥିତ ଥିଲେ। ତେବେ ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ, ଚୀନ ଓ ଇଟାଲି ପରି ଦେଶମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ।

ଟ୍ରମ୍ପ କହିଥିଲେ ଯେ ଗାଜା ବ୍ୟତୀତ ଅନ୍ୟାନ୍ୟ ଆନ୍ତର୍ଜାତିକ ବିବାଦ ସମାଧାନ ଦିଗରେ ମଧ୍ୟ ଏହି ବୋର୍ଡର କାର୍ଯ୍ୟକ୍ଷେତ୍ର ଭବିଷ୍ୟତରେ ବିସ୍ତାରିତ ହୋଇପାରେ। ତେବେ ଏହି ପଦକ୍ଷେପ ଜାତିସଂଘର ଭୂମିକାକୁ କମଜୋର କରିପାରେ ବୋଲି କିଛି ଦେଶ ଚିନ୍ତା ପ୍ରକାଶ କରିଛନ୍ତି।