ରାୟଗଡା/ଭୁବନେଶ୍ୱର: ହିଂସାର ପଥ ଛାଡ଼ି ସାଧାରଣ ଜୀବନକୁ ଫେରିବା ଲକ୍ଷ୍ୟରେ ୧୫ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆତ୍ମସମର୍ପଣ କରିଥିବା ମାନଙ୍କ ମଧ୍ୟରେ ମାଓ ଦମ୍ପତି ନିରଞ୍ଜନ ରାଉତ ଓରଫ ନିଖିଲ ଓ ଅଙ୍କିତା ରାଉତ ଓରଫ ଇନ୍ଦୁ ମଧ୍ୟ ଅଛନ୍ତି।

ପୁଲିସ ଅନୁସାରେ, ଏହି କ୍ୟାଡରମାନେ ଦୀର୍ଘଦିନ ଧରି ଜଙ୍ଗଲ ଅଞ୍ଚଳରେ ସକ୍ରିୟ ଥିଲେ ଏବଂ ବିଭିନ୍ନ ଘଟଣାରେ ଜଡିତ ଥିବା ଅଭିଯୋଗ ରହିଛି। ଆତ୍ମସମର୍ପଣ ପରେ ସେମାନେ ସରକାରଙ୍କ ପୁନର୍ବାସ ଯୋଜନାର ସୁବିଧା ପାଇବେ ବୋଲି କୁହାଯାଇଛି। ଅନ୍ୟ ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କ ମଧ୍ୟରେ ବିକାଶ, ସୁନ୍ଦର, ପ୍ରଦୀପ, ରୋଶନୀ, ଅରୁଣା, ନିକିତା, କୁମାରୀ, ଦୀପକ, ରାକେଶ ଲଳିତ, ରାଜେ ଓ ମାଳତି ଆଦି ଅଛନ୍ତି।

ଏହା ସହିତ କନ୍ଧମାଳ ଜିଲ୍ଲାରେ ମଧ୍ୟ ଅଲଗା ଘଟଣାରେ ଆଉ ୪ ଜଣ ମାଓବାଦୀ ଏସ୍‌ପିଙ୍କ ସମ୍ମୁଖରେ ଅସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି। ଏହି ସମସ୍ତେ କେକେବିଏନ୍‌ ମାଓ ଡିଭିଜନର ସକ୍ରିୟ ସଦସ୍ୟ ଥିଲେ।

ଆତ୍ମସମର୍ପଣ କରିଥିବା ଏହି ୪ ଜଣଙ୍କ ଘର ଛତିଶଗଡର ସୁକୁମା, ବିଜାପୁର ଓ ଦନ୍ତେୱାଡା ଜିଲ୍ଲାର ବିଭିନ୍ନ ଗାଁରେ ଥିବା ବେଳେ, ସେମାନଙ୍କ ନାମରେ ଓଡ଼ିଶା ଓ ଛତିଶଗଡର ଅନେକ ଥାନାରେ ମାମଲା ରହିଛି ବୋଲି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପୁଲିସ ପକ୍ଷରୁ ଆତ୍ମସମର୍ପଣକାରୀଙ୍କୁ ସ୍ୱାଗତ କରାଯାଇଥିବା ବେଳେ, ମାଓ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଶୀଘ୍ର ସାଧାରଣ ହେବ ବୋଲି ଅଧିକାରୀମାନେ ଆଶା ପ୍ରକାଶ କରିଛନ୍ତି।