ରାୟଗଡ଼, ୧୫ ଜୁଲାଇ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା ବିବାଦ ଉପରେ ପୁଣିଥରେ ତନାବ ଜଣାପଡ଼ିଛି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଓ ଅମରିଙ୍ଗି ଗ୍ରାମରେ ଆନ୍ଧ୍ରପ୍ରଦେଶ ଅଧିକାରୀମାନେ ବେଆଇନ ଭାବେ ଜମି ସର୍ଭେ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏହାର ସୂଚନା ମିଳିଥିବା ପରେ ଗଜପତି ଉପଜିଲାପାଳ ଓ ତହସିଲଦାର ଏହି ସ୍ଥାନକୁ ପହଞ୍ଚି ସର୍ଭେକୁ ରୋକିଦେଇଛନ୍ତି।

ପ୍ରଶାସନ ପକ୍ଷରୁ ସଂଘଟିତ ଘଟଣାକୁ ଗମ୍ଭୀରତାରେ ନିଆଯାଇ ଭବିଷ୍ୟତରେ ଏପରି ଅନୁପ୍ରବେଶକୁ ରୋକିବା ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପ୍ରସ୍ତାବ ଦିଆଯାଇଛି। ଗଜପତି ଉପଜିଲାପାଳ ଅନୁପ କୁମାର ପଣ୍ଡା କହିଛନ୍ତି ଯେ ଗଙ୍ଗାବାଡ଼ ଓଡ଼ିଶା ଅଂଶ ଓ ଏଠି ରାଜ୍ୟ ସରକାର ପକ୍ଷରୁ ବିଭିନ୍ନ ଉନ୍ନୟନ କାର୍ଯ୍ୟ ଚାଲିଛି।

ଏହି ଅଞ୍ଚଳର କିଛି ଲୋକଙ୍କ ପୂର୍ବଜମି ଆନ୍ଧ୍ର ଅଧୀନରେ ଥିବା ପାଇଁ ସେମାନେ ଆନ୍ଧ୍ରପ୍ରଦେଶର ସହଯୋଗ କରୁଥିବା ଅଭିଯୋଗ ମିଳିଛି। ଆନ୍ଧ୍ର ଅଧିକାରୀମାନେ ଅବାଧ ଭାବେ ଏହି ଗ୍ରାମରେ ପ୍ରବେଶ କରି ପ୍ରଲୋଭନ ଦେଉଛନ୍ତି — ଯଥା: ପିଲାମାନଙ୍କ ପାଇଁ ଶିକ୍ଷା ସହଯୋଗ ରୂପେ ୧୫ ହଜାର ଟଙ୍କା, ଭିନ୍ନକ୍ଷମଙ୍କୁ ୪ ହଜାର ଟଙ୍କା ଭତ୍ତା, ମାଗଣା ଗ୍ୟାସ, ଚାଷୀଙ୍କ ପାଇଁ ଅର୍ଥସାହାଯ୍ୟ ଓ ମାଗଣା ବସ୍ ସେବା ଇତ୍ୟାଦି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆନ୍ଧ୍ର ପ୍ରଶାସନ ପୂର୍ବରୁ ମଧ୍ୟ ଅନେକଥର ମାଣିକପାଟଣା ଗ୍ରାମକୁ ପ୍ରବେଶ କରି ଅଙ୍ଗନବାଡ଼ି ଭାଙ୍ଗିବା ଧମକ ଦେଇଥିଲେ। ଏବେ ମଧ୍ୟ ସେମାନେ ଗାଁ ଛାଡ଼ି ଯିବାକୁ କହୁଛନ୍ତି, ନଚେତ୍ ଘର ଭାଙ୍ଗିଦେବେ ବୋଲି ଧମକ ଦେଉଛନ୍ତି।

ସ୍ଥାନୀୟ ସରପଞ୍ଚ ହରିବନ୍ଧୁ କାର୍ୟୀ ଅଭିଯୋଗ କରିଛନ୍ତି ଯେ ଓଡ଼ିଶା ପ୍ରଶାସନ ମାଣିକପାଟଣା ପ୍ରତି ଅବହେଳା ଦେଖାଉଥିବାରୁ ଆନ୍ଧ୍ର ଏଭଳି ଚେଷ୍ଟାକୁ ବାରମ୍ବାର କରୁଛି। ଏହି ସୀମାବିବାଦ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଅବଗତ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।