ଭୁବନେଶ୍ୱର:
ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଦାବିକୁ ନେଇ ବ୍ୟାଙ୍କ କର୍ମଚାରୀମାନେ ଆଜି ଦେଶବ୍ୟାପୀ ଧର୍ମଘଟ କରିଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ (UFBY) ଅଧୀନରେ ଥିବା ୯ଟି କର୍ମଚାରୀ ଓ ଅଫିସର ସଂଘ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି।
ଦେଶସାରା ୮ ଲକ୍ଷରୁ ଅଧିକ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନରେ ଯୋଗଦେଇଥିବା ବେଳେ, ଓଡ଼ିଶାରେ ୩୭ ହଜାରରୁ ଅଧିକ କର୍ମଚାରୀ ଧର୍ମଘଟ କରିଛନ୍ତି। ଏହାର ପ୍ରଭାବରେ ସାରା ରାଜ୍ୟରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିଛି। ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ କିଛି ଘରୋଇ ବ୍ୟାଙ୍କ ମଧ୍ୟ ଏହି ଧର୍ମଘଟକୁ ସମର୍ଥନ ଜଣାଇଛନ୍ତି।
ଆନ୍ଦୋଳନର ଅଂଶ ଭାବେ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଖୋଲାଥିବା କିଛି ଘରୋଇ ଓ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ଶାଖାଗୁଡ଼ିକୁ ମଧ୍ୟ ବନ୍ଦ କରାଇଛନ୍ତି। ଏହା ଫଳରେ ଚେକ୍ କ୍ଲିୟରିଂ ଓ ନଗଦ କାରବାର ସହିତ ସମସ୍ତ ଶାଖାସ୍ତରୀୟ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି।
UFBY ଓଡ଼ିଶା ଶାଖାର ଆବାହକ ଚିତ୍ତ ରଞ୍ଜନ ପଣ୍ଡା କହିଛନ୍ତି ଯେ, ଏକଦିନିଆ ଧର୍ମଘଟ ଦ୍ୱାରା ରାଜ୍ୟରେ ପ୍ରାୟ ୧୦ ହଜାର କୋଟି ଟଙ୍କାର ବ୍ୟାଙ୍କିଂ କାରବାର ପ୍ରଭାବିତ ହୋଇଛି। ଓଡ଼ିଶାରେ ୩୫୦୦ରୁ ଅଧିକ ବ୍ୟାଙ୍କ ଶାଖା ଥିବା ବେଳେ, ସେଥିରୁ ପ୍ରାୟ ୧୭୦୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ସମ୍ପୂର୍ଣ୍ଣ ବନ୍ଦ ରହିଛି।
ଏହି ଧର୍ମଘଟରେ AIBOC, AIBOA ଭଳି ଅଫିସର ସଂଘ ସହିତ AIBEA, NCBE ଓ BEFI ଭଳି କର୍ମଚାରୀ ସଂଘ ସାମିଲ ହୋଇଛନ୍ତି। ଧର୍ମଘଟ ଦ୍ୱାରା ଗ୍ରାହକମାନଙ୍କୁ ହେଉଥିବା ଅସୁବିଧା ପାଇଁ UFBY ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିବା ବେଳେ, କର୍ମଚାରୀଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ସମର୍ଥନ ଜଣାଇବାକୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି।
ତେବେ ଶାଖାସ୍ତରୀୟ ବ୍ୟାଙ୍କିଂ ସେବା ବନ୍ଦ ଥିଲେ ମଧ୍ୟ, ATM, UPI, ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ, ଫୋନ୍ ବ୍ୟାଙ୍କିଂ ଓ ହ୍ୱାଟସ୍ଆପ୍ ବ୍ୟାଙ୍କିଂ ସେବା ସାଧାରଣ ଭାବେ ଚାଲୁ ରହିଛି।
ଶ୍ରୀ ପଣ୍ଡା କହିଛନ୍ତି ଯେ, ବ୍ୟାଙ୍କ କର୍ମଚାରୀମାନଙ୍କ ଉପରେ ଦିନକୁ ଦିନ କାମର ଚାପ ବଢ଼ୁଛି ଏବଂ ଅନେକ କର୍ମଚାରୀ ରାତି ୮–୯ଟା ପର୍ଯ୍ୟନ୍ତ କାମ କରୁଛନ୍ତି। ଆର୍ଥିକ କ୍ଷେତ୍ରର ଅନ୍ୟ ସମସ୍ତ ସଂସ୍ଥାରେ ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଚାଲୁ ଥିବା ବେଳେ, କେବଳ ବ୍ୟାଙ୍କ କର୍ମଚାରୀମାନେ ଏହି ସୁବିଧାରୁ ବଞ୍ଚିତ। ୨୦୧୫ ଠାରୁ ଦାବି ଉଠାଯାଉଥିଲେ ମଧ୍ୟ ସରକାର ଗ୍ରହଣ ନ କରିବାରୁ ଧର୍ମଘଟର ପଥ ବାଛିବାକୁ ପଡ଼ିଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟକାଳୀନ ଧର୍ମଘଟର ଚେତାବନୀ ମଧ୍ୟ ଦିଆଯାଇଛି।





