ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଆମ ବିମାନ ସେବା ଯୋଜନା’ ଅନ୍ତର୍ଗତ ଭୁବନେଶ୍ୱରରୁ ଝାରସୁଗୁଡ଼ାକୁ ବିମାନ ସେବା ଆସନ୍ତା ୧ ସେପ୍ଟେମ୍ବରରୁ ଆରମ୍ଭ ହେବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ବିମାନ ସେବା ଷ୍ଟାର ଏୟାର ଦ୍ୱାରା ପରିଚାଳିତ ହେବ ଏବଂ ସପ୍ତାହରେ ୫ ଦିନ (ମଙ୍ଗଳବାରରୁ ଶନିବାର) ଚାଲିବ। ୭୬ ସିଟ୍‌ ବିଶିଷ୍ଟ ବିମାନଟି ୪୫ ମିନିଟ୍‌ରେ ଝାରସୁଗୁଡ଼ା ବିମାନବନ୍ଦର ପହଞ୍ଚିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ସେବା ପୂର୍ବ ଓଡ଼ିଶାକୁ ପଶ୍ଚିମ ଓଡ଼ିଶା ସହ ଯୋଡ଼ିବାରେ ମୁଖ୍ୟ ଭୂମିକା ନିଭାଇବ। ଏହାର ଫଳରେ ଶିଳ୍ପ, ପର୍ଯ୍ୟଟନ ଓ ଅର୍ଥନୈତିକ କ୍ଷେତ୍ରରେ ଅଧିକ ଗତିଶୀଳତା ଆସିବ।

ବର୍ତ୍ତମାନ ଓଡ଼ିଶାରେ ୩୯ଟି ରୁଟରେ ବିମାନ ଚଳାଚଳ ହେଉଛି ଏବଂ ୧୪ଟି ଏୟାରଷ୍ଟ୍ରିପ୍‌ ଚାଲୁ ଅଛି। ସରକାର ଆଗାମୀଦିନରେ ଆହୁରି ୧୫ଟି ଜିଲ୍ଲାରେ ହେଲିପ୍ୟାଡ୍‌ ନିର୍ମାଣ କରିବାକୁ ପଦକ୍ଷେପ ନେଇଛି।

ସେହିପରି, ଭୁବନେଶ୍ୱର ବିମାନବନ୍ଦରକୁ ଇଣ୍ଡିଗୋ ଏୟାରଲାଇନ୍‌ସର ହବ୍‌ ଭାବରେ ଉନ୍ନତ କରାଯିବା ସହିତ MRO (Maintenance, Repair & Overhaul) ସେଣ୍ଟର ନିର୍ମାଣ କରାଯିବ। ଏହା ଫଳରେ ବିମାନବନ୍ଦରର କାର୍ଯ୍ୟକ୍ଷମତା ବଢ଼ିବା ସହିତ ଭୁବନେଶ୍ୱରର ପ୍ରତିଷ୍ଠା ଆହୁରି ବିଶ୍ୱସ୍ତରୀୟ ହେବ।