ଭୁବନେଶ୍ୱର: ଆସନ୍ତା ୧୭ତାରିଖରେ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳନ କରିବେ ପୁରୁଖା ନେତା। ଏହି ଦିବସ ପାଳନ କରିବା ପାଇଁ ଓୟୁଏଟି ପରିସରରେ ବିଶାଳ ସମାବେଶ କରି ଶକ୍ତି ପ୍ରଦର୍ଶନ କରିବା ପାଇଁ ବିଜୁ ଲିଗାସି ନେତା ଅଣ୍ଟା ଭିଡୁଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ବିଜୁ ପ୍ରେମୀଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଏହା ମଧ୍ୟରେ ବିଧାୟକ ଗଣେଶ୍ୱର ବେହେରା କଟାକ୍ଷ କରି କହିଛନ୍ତି, “ବିଜେଡି ଓଡ଼ିଶାକୁ ଗଢ଼ିବାକୁ ଯାଉଛି, ସେମାନେ ଭାଙ୍ଗିବାକୁ ଯାଉଛନ୍ତି ।”
ବିଜୁ ଅନୁଗତଙ୍କୁ ଏକାଠି କରିବାକୁ ବିଜୁଙ୍କ ସହ କାମ କରିଥିବା ଓ ତାଙ୍କୁ ଭଲପାଉଥିବା ନେତାଙ୍କୁ ଦାୟିତ୍ବ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଖବର ମୁତାବକ, ବରିଷ୍ଠ ନେତା ବିଜୟ ମହାପାତ୍ର, ପ୍ରଭାତ ତ୍ରିପାଠୀ, ଅମର ଶତପଥୀ, ପ୍ରଭାତ ବିଶ୍ବାଳ, ଦିଲ୍ଲୀପ ରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ରବି ନାରାୟଣ ପାଣି, ବ୍ରଜ ତ୍ରିପାଠୀ, ଏନ୍. ଭାସ୍କର ରାଓ ଙ୍କ ଭଳି ବରିଷ୍ଠ ନେତା ଓଡ଼ିଶା ନାଗରିକ ମଞ୍ଚ ବ୍ୟାନର ତଳେ ଏକାଠି ହେବେ। ଆଗାମି ଦିନରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି କୁହାଯାଉଛି। ତେବେ ଆଗାମୀ ଦିନରେ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହେବ ବୋଲି ଏବେ ଚର୍ଚ୍ଚା ଜୋର ଧରିଛି।





