ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ପକ୍ଷୀ ପ୍ରଜାତି ସଂଖ୍ୟା କ୍ରମାଗତ ଭାବେ କମୁଥିବା ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଚଳିତ ମାସ ୧୮ ତାରିଖରେ ବନ ବିଭାଗ ପକ୍ଷରୁ କରାଯାଇଥିବା ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ, ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୫୧ ହଜାର ୬୧୪ଟି ପକ୍ଷୀ ଆସିଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧ ଲକ୍ଷ ୫୨ ହଜାର ୭୬୨କୁ ବୃଦ୍ଧି ପାଇଛି। ଅର୍ଥାତ ଗତବର୍ଷ ତୁଳନାରେ ୧,୧୪୮ଟି ପକ୍ଷୀ ଅଧିକ ଆସିଥିବା ଜଣାପଡ଼ିଛି।

ତଥାପି, ଗତ ୪ ବର୍ଷ ଧରି ପକ୍ଷୀଙ୍କ ସଂଖ୍ୟା ବଢ଼ୁଥିବା ସତ୍ତ୍ୱେ ପ୍ରଜାତି ସଂଖ୍ୟା ହ୍ରାସ ପାଉଥିବା ତଥ୍ୟ ଚିନ୍ତା ବଢ଼ାଇଛି। ୨୦୨୩ ମସିହାରେ ୧୩୯ ପ୍ରଜାତିର ବିଦେଶୀ ପକ୍ଷୀ ଭିତରକନିକାକୁ ଆସିଥିବା ବେଳେ ୨୦୨୪ରେ ୧୨୧, ୨୦୨୫ରେ ୧୧୮ ଏବଂ ଚଳିତବର୍ଷ ୧୦୬ ପ୍ରଜାତିର ପକ୍ଷୀ ଆସିଥିବା ଗଣନାରୁ ସ୍ପଷ୍ଟ ହୋଇଛି। ବିଶେଷଜ୍ଞମାନଙ୍କ ମତାନୁସାରେ ପ୍ରଜାତି ବିଭିନ୍ନତା କମିବା ଜୈବ ବିବିଧତା ପାଇଁ ଶୁଭ ଲକ୍ଷଣ ନୁହେଁ।

ପ୍ରଥମ ଥର ଦେଖାଦେଲା ଗ୍ରେଟ ବିଟର୍ଣ୍ଣ

ଚଳିତବର୍ଷ ଭିତରକନିକାରେ ପ୍ରଥମଥର ପାଇଁ ଗ୍ରେଟ ବିଟର୍ଣ୍ଣ ପକ୍ଷୀ ଦେଖାଯାଇଛି। ଗହୀରମଥା ଅଞ୍ଚଳରେ ଏହି ବିରଳ ପକ୍ଷୀକୁ ଚିହ୍ନଟ କରାଯାଇଛି। ଏହାସହିତ କମନସେଲ ଡକ, କମନ ଟିଲ, ଆବୋସେଟ ଓ ଗଡୱିକ ପରି ବିରଳ ପକ୍ଷୀମାନେ ମଧ୍ୟ ଚଳିତବର୍ଷ ଦେଖିବାକୁ ମିଳିଛନ୍ତି। ଅନ୍ୟ ସ୍ଥାନରେ କମ୍ ଦେଖାଯାଉଥିବା ଗଡୱିକ ପକ୍ଷୀର ସଂଖ୍ୟା ଭିତରକନିକାରେ ଅଧିକ ଥିବା ଗଣନାରୁ ପ୍ରକାଶ ପାଇଛି।

ଗଣନା ଅନୁଯାୟୀ, ଗ୍ରେବସ ୧ ପ୍ରଜାତିର ୨୫୯ଟି, କର୍ମୋରାଣ୍ଟ ଓ ଡାର୍ଟର ୪ ପ୍ରଜାତିର ୬,୧୨୧ଟି, ହେରନ ଓ ଇଗ୍ରେଟ୍ସ ୧୪ ପ୍ରଜାତିର ୧୩,୧୮୩ଟି, ଷ୍ଟୋର୍କସ ୪ ପ୍ରଜାତିର ୩,୫୩୩ଟି, ଇବିସ ଓ ସ୍ପୁନବିଲ ୨ ପ୍ରଜାତିର ୧,୯୭୨ଟି, ଗିଜ ଓ ଡକସ ୧୪ ପ୍ରଜାତିର ୯୩,୮୨୧ଟି ସହ ଅନ୍ୟାନ୍ୟ ବିଭିନ୍ନ ପ୍ରଜାତିର ପକ୍ଷୀ ଚିହ୍ନଟ କରାଯାଇଛି।

ଏହି ବିଦେଶାଗତ ପକ୍ଷୀମାନେ ହିମାଳୟ ପାଦଦେଶ, ଲଦାଖ, ସାଇବେରିଆ, ଚୀନ, ରୁଷିଆ ଓ ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ଅଞ୍ଚଳରୁ ତୀବ୍ର ଶୀତରୁ ରକ୍ଷା ପାଇବାକୁ ହଜାର ହଜାର କିଲୋମିଟର ଉଡ଼ି ଭିତରକନିକାକୁ ଆସିଥାନ୍ତି। ଶୀତ ଋତୁ ସମାପ୍ତି ପରେ ସେମାନେ ପୁଣି ନିଜ ଦେଶକୁ ଫେରିଯାନ୍ତି।

୧୮ଟି ଟିମ୍‌ ନିୟୋଜିତ

ପକ୍ଷୀ ଗଣନା ପାଇଁ ୧୮ଟି ଟିମ୍‌କୁ ଭିତରକନିକା ଅଭୟାରଣ୍ୟର ମହାନଦୀ ଡେଲଟା, ସାତଭାୟା, ଗହୀରମଥା, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ଭିତରକନିକା ମାଉଥ ସହ ବିଭିନ୍ନ ଆର୍ଦ୍ରଭୂମି ଓ ଜଳାଶୟ ଅଞ୍ଚଳରେ ନିୟୋଜିତ କରାଯାଇଥିଲା। ଗତ ୧୦ ବର୍ଷର ତଥ୍ୟ ଅନୁଯାୟୀ, ଚଳିତବର୍ଷ ଭିତରକନିକାରେ ସର୍ବାଧିକ ସଂଖ୍ୟାର ବିଦେଶୀ ପକ୍ଷୀ ଭିଡ଼ ଜମାଇଥିବା ବନ ବିଭାଗ ସୂଚନା ଦେଇଛି।