ଭୁବନେଶ୍ୱର: ରାଜ୍ୟରେ ନାରୀ ଓ ନାବାଳିକାଙ୍କ ବିରୋଧରେ ଅପରାଧ ଚିନ୍ତାଜନକ ଭାବେ ବଢ଼ିଛି ବୋଲି ବିଜୁ ଜନତା ଦଳ (ବିଜେଡି) ଅଭିଯୋଗ କରିଛି। ଦଳ କହିଛି, ଗତ କିଛି ମାସ ମଧ୍ୟରେ ମହିଳା ସୁରକ୍ଷା ପରିସ୍ଥିତି ଅବନତି ହୋଇଥିବାବେଳେ ସରକାର ପ୍ରଥମେ ସୁରକ୍ଷା ନିଶ୍ଚିତ କରୁନ୍ତୁ, ପରେ ନୂଆ ଯୋଜନା ଆରମ୍ଭ କରିବା ଉଚିତ।

ଦଳର ମୁଖପାତ୍ର ଡ଼ା. ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି ଯେ, ଗତ ୧୫ ମାସରେ ରାଜ୍ୟରେ ୩୭ ହଜାରରୁ ଅଧିକ ମହିଳା ବିରୋଧୀ ଅପରାଧ ମାମଲା ରୁଜୁ ହୋଇଛି। ସେହି ସମୟସୀମାରେ ୪୦୦୦ରୁ ଅଧିକ ଦୁଷ୍କର୍ମ ଘଟଣା ଘଟିଥିବା ଦାବି କରି ବିଜେଡି କହିଛି ଯେ, ଏହା ଆଇନ-ଶୃଙ୍ଖଳା ପରିସ୍ଥିତିକୁ ପ୍ରଶ୍ନର ସମ୍ମୁଖୀନ କରୁଛି।

ବିଜେଡି ପକ୍ଷରୁ ଆରୋପ ହୋଇଛି ଯେ, ବିଭିନ୍ନ ଜିଲ୍ଲାରେ ନାବାଳିକା ଓ ଛାତ୍ରୀମାନଙ୍କ ସହ ଗୁରୁତର ଅପରାଧ ଘଟଣା ସମ୍ନାକୁ ଆସୁଛି। ବିଶେଷକରି ଆବାସିକ ବିଦ୍ୟାଳୟ ଓ ଗ୍ରାମାଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ଦଳ ଦାବି ଉଠାଇଛି।

ଦଳ କହିଛି, ନାରୀ ସୁରକ୍ଷା, ଶିକ୍ଷାସ୍ଥଳର ସୁରକ୍ଷା ଓ ପୀଡ଼ିତମାନଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ଘଟଣାଗୁଡ଼ିକର ନିରପେକ୍ଷ ଓ ଶୀଘ୍ର ତଦନ୍ତ ସହ ଦୋଷୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଜୋର ଦେଇଛି।

ମହିଳା ସଶକ୍ତିକରଣ ଓ ସୁରକ୍ଷା ପ୍ରଶ୍ନରେ ଦଳ ଆଗକୁ ମଧ୍ୟ ଆନ୍ଦୋଳନ ଜାରି ରଖିବ ବୋଲି ବିବୃତିରେ ଉଲ୍ଲେଖ କରାଯାଇଛି।