ଭୁବନେଶ୍ବର: ବିଧାୟକମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ନେଇ ରାଜ୍ୟରେ ବଢୁଥିବା ଜନଅସନ୍ତୋଷ ମଧ୍ୟରେ ଏହାର ପୁନର୍ବିଚାର କରାଯିବାକୁ ବିଜୁ ଜନତା ଦଳ (ବିଜେଡି) ଦାବି କରିଛି। ବୁଧବାର ବିଜେଡି ବିଧାୟକମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍‌ କରି ଲୋକମତକୁ ସମ୍ମାନ ଦେଇ ଦରମା ଓ ଭତ୍ତା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଛନ୍ତି।

ଗତଦିନ ବିଜେପି ବିଧାୟକମାନେ ମଧ୍ୟ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସମାନ ଦାବି ରଖିଥିଲେ। ଏହା ପରେ ଶାସକ ଓ ବିରୋଧୀ—ଉଭୟ ପକ୍ଷରୁ ଆସୁଥିବା ଆପତ୍ତି ଦୃଷ୍ଟିରେ ରଖି, ଦରମା ଓ ପେନ୍‌ସନ୍‌ ବୃଦ୍ଧି ସଂପର୍କିତ ନିଷ୍ପତ୍ତିରେ ପରିବର୍ତ୍ତନ ହେବା ସମ୍ଭାବନା ଜୋରଦାର ହୋଇଛି।

ସୂଚନାନୁସାରେ, ଗତକାଲି ଦଳୀୟ କାର୍ଯ୍ୟାଳୟରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧାୟକମାନଙ୍କ ଏକ ବୈଠକ ହୋଇଥିଲା। ସେଠାରେ ବିଧାୟକମାନେ ପୂର୍ବରୁ ପ୍ରସ୍ତୁତ ଲିଖିତ ସ୍ମାରକପତ୍ରକୁ ଔପଚାରିକ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତାନ୍ତର କରିଥିଲେ। ଏହା ସହିତ ଏ ବିଷୟରେ ଗଣମାଧ୍ୟମରେ ଅଧିକ ବୟାନ ନ ଦେବାକୁ ବିଧାୟକମାନଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି। ବର୍ଦ୍ଧିତ ଦରମା ହ୍ରାସ ପାଇବ ବୋଲି ସେମାନଙ୍କୁ ସୂଚିତ କରାଯାଇଛି।

ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମହାଲିଙ୍ଗ ଗଣମାଧ୍ୟମକୁ କହିଥିଲେ ଯେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା–ଭତ୍ତା ବୃଦ୍ଧି ସଂପର୍କିତ ଏକ ବିଧେୟକ ସମ୍ପ୍ରତି ସମାପ୍ତ ବିଧାନସଭା ଅଧିବେଶନରେ ପାରିତ ହୋଇଥିଲା। ତେବେ ଲୋକମତକୁ ସମ୍ମାନ ଦେଇ ଏହାର ପୁନର୍ବିଚାର ପାଇଁ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଭାବେ ଅନୁରୋଧ କରିଛନ୍ତି।

ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ ସରକାରୀ ପ୍ରକ୍ରିୟା

ଦଳୀୟ କାର୍ଯ୍ୟାଳୟରେ ସ୍ମାରକପତ୍ର ପ୍ରଦାନ ହୋଇଥିଲେ ମଧ୍ୟ ଏହାକୁ ନେଇ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କୌଣସି ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ସୂଚନା ଅନୁଯାୟୀ, ବିଧାନସଭାରେ ପାରିତ ହୋଇଥିବା ତିନୋଟି ବିଲ୍‌ ଏପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇନାହିଁ। ଏହି ପରିସ୍ଥିତିରେ ସରକାର ବିଲ୍‌ଗୁଡ଼ିକୁ ଆଗକୁ ନ ପଠାଇବା କିମ୍ବା ସଂଶୋଧନ ସହ ପୁନର୍ବିଚାର କରିବା ସମ୍ଭାବନା ରହିଛି। ଯଦି ବିଲ୍‌ ରାଜ୍ୟପାଳଙ୍କ ପାଖକୁ ଯାଏ, ତେବେ ସେଥିରେ ପୁନର୍ବିଚାର ପାଇଁ ଫେରାଇ ଦିଆଯାଇପାରେ। ଆଗାମୀ ବଜେଟ୍‌ ଅଧିବେଶନରେ ଦରମା ପରିମାଣ କମାଇବା ସଂପର୍କିତ ସଂଶୋଧନ ପ୍ରସ୍ତାବ ଆସିବା ସମ୍ଭାବନା ମଧ୍ୟ ରହିଛି।

ଏହି ମଧ୍ୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିସେମ୍ବର ୧୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦରମା ଓ ଭତ୍ତା ବୃଦ୍ଧି ବାବଦରେ ମିଳିବାକୁ ଥିବା ଅର୍ଥ ନେବେ ନାହିଁ ବୋଲି ସୂଚନା ଦେଇଥିଲେ। ସେହି ଅର୍ଥକୁ ଓଡ଼ିଶାବାସୀଙ୍କ କଲ୍ୟାଣରେ ବ୍ୟୟ କରିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ।