ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ଆସନ୍ତା ମାର୍ଚ୍ଚ ୫ ତାରିଖରେ ସମଗ୍ର ରାଜ୍ୟରେ ଆନନ୍ଦ ଓ ଉତ୍ସାହର ସହ ପାଳନ କରାଯିବ ବୋଲି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରର ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତାମାନେ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ।

ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ବିଜୁ ଜୟନ୍ତୀ ପାଳନ ପାଇଁ କାର୍ଯ୍ୟସୂଚୀ ପୂର୍ବରୁ ଜଣାଇ ଦିଆଯାଇଛି। ସେହିଦିନ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ, ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ଏବଂ ଓଡିଶାର ଉନ୍ନତିରେ ତାଙ୍କ ଅବଦାନ ଉପରେ ଆଲୋଚନାଚକ୍ର ଆୟୋଜନ କରାଯିବ।

ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଓ ସେବାମୂଳକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ବିଜେଡି ମୁଖ୍ୟାଳୟରେ ଆୟୋଜିତ ପ୍ରମୁଖ କାର୍ଯ୍ୟକ୍ରମରେ ଦଳ ସଭାପତି ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ସୂଚନା ମିଳିଛି।

ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ, ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବିଜୁ ଜୟନ୍ତୀକୁ ସେବା ଓ ସମର୍ପଣର ଦିନ ଭାବେ ପାଳନ କରାଯିବ। ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶକୁ ଅନୁସରଣ କରି ବିଜେଡିର ନେତା ଓ କର୍ମୀମାନେ ସମାଜସେବାରେ ନିୟୋଜିତ ହେବାକୁ ସଂକଳ୍ପ ନେବେ ବୋଲି ସେ କହିଛନ୍ତି।