ଭୁବନେଶ୍ୱର: ରାଜଧାନୀରେ ଡ୍ରେନେଜ୍ ସମସ୍ୟାକୁ ସମାଧାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ଓ ଷ୍ଟର୍ମ ୱାଟର୍ ମ୍ୟାନେଜମେଣ୍ଟ ପ୍ରସ୍ତୁତିରେ ଜୋର ଦେଇଛି । ଏହା ସମ୍ବନ୍ଧରେ ଆଜି ସନ୍ଧ୍ୟାରେ BMC ମୁଖ୍ୟାଳୟରେ କମିସନର ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ IIT ରୁର୍କୀର ପ୍ରଫେସର ଡି.ଏସ୍. ଆର୍ଯ୍ୟ, ସିଟି ଇଂଜିନିୟର ବିଳାସ କୁମାର ବେହେରା, ଉପଜିଲ୍ଲାପାଳ ଡ଼. ମନୋରଂଜନ ସାହୁ, ସହିତ ସ୍ମାର୍ଟ ସିଟି, ବିଡିଏ, IMD, OSDMA, ଜଳ ସମ୍ପଦ ବିଭାଗ, ରାଜସ୍ୱ ବିଭାଗ, IDCO ଓ BMCର ଅନ୍ୟାନ୍ୟ ଇଂଜିନିୟର ଏବଂ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
ବୈଠକରେ ଜଣାପଡ଼ିଛି ଯେ, ଭୁବନେଶ୍ୱରର ରୋଡ୍ ନେଟୱର୍କ, ଫ୍ୟାସିଲିଟି ନେଟୱର୍କ, ୟୁଟିଲିଟି ସେବା, ଜବରଦଖଲ ସମସ୍ୟା ଓ ବର୍ଷାରେ ହେଉଥିବା ଜଳବନ୍ଦୀ ନିରାକରଣ ପାଇଁ ବିଭିନ୍ନ ଆଧୁନିକ ପ୍ରଣାଳୀ ଦ୍ୱାରା ସର୍ଭେ କରାଯାଉଛି । ସଂଗୃହୀତ ତଥ୍ୟକୁ ‘ଭୁବନେଶ୍ୱର-୧’ ସିଟିଜେନ୍ ପୋର୍ଟାଲରେ ସାର୍ବଜନୀନ କରାଯିବ ।
ପ୍ରକଳ୍ପକୁ ଦୀର୍ଘମିଆଦି ଓ ସ୍ୱଳ୍ପମିଆଦି ଯୋଜନା ଭିତ୍ତିରେ ରୂପାୟନ କରାଯିବା ସହିତ ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦିଆଯିବ । IIT ରୁର୍କୀ ପ୍ରକଳ୍ପ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରି ସର୍ଭେ କାର୍ଯ୍ୟ ଆରମ୍ଭ କରିଛି । ବିଭିନ୍ନ ଦିଗରୁ ଡାଟା ସଂଗ୍ରହ କରାଯାଉଥିବା ସହ ସର୍ଭେର ଅଗ୍ରଗତିର ନିୟମିତ ସମୀକ୍ଷା କରାଯାଉଛି ।
ଆଜିର ବୈଠକରେ IIT ରୁର୍କୀର ବୈଜ୍ଞାନିକମାନେ ସେମାନଙ୍କ ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟ ଅବସ୍ଥା ପ୍ରସ୍ତୁତ କରିଥିଲେ । ଏହି ସର୍ଭେ କାର୍ଯ୍ୟ ଆସନ୍ତା ଡିସେମ୍ବର ମଧ୍ୟରେ ସମାପ୍ତ ହେବାକୁ ଥିବା କୁହାଯାଇଛି ।