ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ବୋମାମାଡ଼ କରାଯିବ ବୋଲି ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ବାର୍ତ୍ତା ଭାଇରାଲ ହେବା ପରେ ରାଜ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି। ‘ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡିବ’ ବୋଲି ଉଲ୍ଲେଖ ଥିବା ଏକ ପୋଷ୍ଟ ଫେସବୁକରେ ପ୍ରସାରିତ ହୋଇଛି।

ସୂଚନା ଅନୁଯାୟୀ, ‘ଜୁଲିରାଣୀ ପଣ୍ଡା’ ନାମକ ଏକ ଫେସବୁକ ଆକାଉଣ୍ଟରୁ ଗତ ଦୁଇ ଦିନ ଧରି ଏପରି ଧମକପୂର୍ଣ୍ଣ ବାର୍ତ୍ତା ସେୟାର କରାଯାଉଛି। ଏହାସହ ପୁରୀର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ଗୁଳି କରି ମାରିଦେବା ନେଇ ମଧ୍ୟ ଧମକ ଦିଆଯାଇଥିବା ଉଲ୍ଲେଖ ରହିଛି।

ଭକ୍ତମାନଙ୍କ ମଧ୍ୟରେ ଆତଙ୍କ, କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଶ୍ରୀମନ୍ଦିରକୁ ନେଇ ଏପରି ଧମକ ଖବର ସାମ୍ନାକୁ ଆସିବା ପରେ ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ଓ ଅସନ୍ତୋଷ ପ୍ରକାଶ ପାଇଛି। କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏପରି ବାର୍ତ୍ତା ପ୍ରସାର କରିଛି, ସେନେଇ ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବାକୁ ଦାବି ହେଉଛି।

ସାଂସଦଙ୍କୁ ମଧ୍ୟ ଧମକ

ଶ୍ରୀମନ୍ଦିର ସହିତ ସହିତ ‘ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ’ ବୋଲି ମଧ୍ୟ ଉକ୍ତ ଫେସବୁକ ଆକାଉଣ୍ଟରେ ଲେଖାଯାଇଛି। ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ଉଦ୍ଦେଶ୍ୟରେ ଗୁଳି ମାଡ଼ ଧମକ ଦିଆଯାଇଥିବା ବାର୍ତ୍ତା ମଧ୍ୟ ସେୟାର ହୋଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଫେସବୁକ ଆକାଉଣ୍ଟଟି ନୂଆ ହୋଇଥିବା ସମ୍ଭାବନା ରହିଛି ଏବଂ ଏଥିରେ ମାତ୍ର ଜଣେ ବ୍ୟକ୍ତି ବନ୍ଧୁ ତାଲିକାରେ ଅଛନ୍ତି। ଗତ ୧୩ ତାରିଖରୁ ଏହି ଧମକପୂର୍ଣ୍ଣ ପୋଷ୍ଟଗୁଡ଼ିକ ସେୟାର ହେଉଥିବା ଜଣାପଡ଼ିଛି।

ଘଟଣାକୁ ଗମ୍ଭୀରତାର ସହ ନେଇ ପ୍ରଶାସନ ଓ ସୁରକ୍ଷା ଏଜେନ୍ସୀମାନେ ତଦନ୍ତ ଆରମ୍ଭ କରିବେ ବୋଲି ଆଶା ପ୍ରକାଶ ପାଇଛି।