ସମ୍ବଲପୁର: ଦେଶର ବିଭିନ୍ନ ସ୍ଥାନକୁ ବୋମାରେ ଉଡ଼ାଇଦେବାକୁ ଇମେଲ ମାଧ୍ୟମରେ ଧମକ ମିଳୁଥିବା ପରିପ୍ରେକ୍ଷିତରେ ଆଜି ଓଡ଼ିଶାର ତିନିଟି କୋର୍ଟକୁ ମଧ୍ୟ ବୋମା ଧମକ ମିଳିଛି। ସମ୍ବଲପୁର, କଟକ ଏବଂ ଦେବଗଡ଼ ଜିଲ୍ଲା କୋର୍ଟକୁ ଇମେଲ ମାଧ୍ୟମରେ ବୋମାରେ ଉଡ଼ାଇଦେବାକୁ ଧମକ ଦିଆଯାଇଥିବା ସୂଚନା ମିଳିଛି।
ଧମକମୂଳକ ଇମେଲରେ ଅପରାହ୍ଣ ୨ଟା ୪୫ ମିନିଟ୍ ସୁଦ୍ଧା କୋର୍ଟ ପରିସର ଖାଲି କରିବାକୁ ଉଲ୍ଲେଖ ଥିଲା। ଏହା ପରେ ସତର୍କତା ସ୍ୱରୂପ ସମ୍ବଲପୁର ଜିଲ୍ଲା କୋର୍ଟ ପରିସରରୁ ସମସ୍ତ ଓକିଲ, ଅଧିକାରୀ ଓ କର୍ମଚାରୀଙ୍କୁ ବାହାର କରାଯାଇଥିଲା। ବୋମା ସ୍କ୍ୱାଡ୍, ସନ୍ଧାନୀ କୁକୁର ଓ ସାଇବର ଟିମ ସହ ପୁଲିସ ଦ୍ୱାରା ବ୍ୟାପକ ତଲାଶି ଅଭିଯାନ ଆରମ୍ଭ କରାଯାଇଛି।
ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି ଯେ, ଦିନ ପ୍ରାୟ ୧୧ଟା ସମୟରେ କୋର୍ଟ ରେଜିଷ୍ଟ୍ରାରଙ୍କ ଇମେଲ ଆଇଡିକୁ ଏହି ଧମକ ଆସିଥିଲା। ତଦନ୍ତ ସମୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଏହି ଘଟଣା ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପରିସରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଧମକ
ସୂଚନା ଅନୁଯାୟୀ, ଗତ କିଛି ଦିନ ମଧ୍ୟରେ ଦେଶର ୭ରୁ ଅଧିକ ସ୍ଥାନ—କୋର୍ଟ ଓ ରେଳଷ୍ଟେସନ ସମେତ—କୁ ବୋମା ଧମକ ମିଳିଥିଲା। ଉତ୍ତରପ୍ରଦେଶ ଓ କର୍ଣ୍ଣାଟକର ବିଭିନ୍ନ କୋର୍ଟ ଏବଂ ରେଳଷ୍ଟେସନକୁ ସମାନ ଧରଣର ଇମେଲ ମିଳିଥିବା ସୂଚନା ରହିଛି।
ଗୁଜୁରାଟ ହାଇକୋର୍ଟ ସହ ଆନନ୍ଦ, ରାଜକୋଟ, ଅହମଦାବାଦ ଓ ଭରୁଚର ସେସନ୍ସ କୋର୍ଟଗୁଡ଼ିକୁ RDX ବୋମା ବିସ୍ଫୋରଣର ଧମକ ମିଳିଥିଲା। ତଥାପି, ତଦନ୍ତ କାଳୀନେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନାହିଁ। ପୁଲିସ ଅନୁଯାୟୀ, ‘ଲିବରେସନ୍ ଟାଇଗର୍ସ’ ନାମରେ ଏହି ଧମକମୂଳକ ଇମେଲ ପଠାଯାଇଥିବା ସନ୍ଦେହ କରାଯାଉଛି।
ଅନ୍ୟପଟେ, ମଙ୍ଗଳବାର ସକାଳେ ଉତ୍ତରପ୍ରଦେଶର ମଉ ରେଳ ଜଙ୍କସନରେ କାଶୀ ଏକ୍ସପ୍ରେସକୁ ବୋମା ଧମକ ମିଳିଥିଲା। ଟ୍ରେନକୁ ତୁରନ୍ତ ଅଟକାଇ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ସମସ୍ତ ଧମକ ସମ୍ପର୍କରେ ପୁଲିସ ଓ ସୁରକ୍ଷା ଏଜେନ୍ସୀମାନେ ଗଭୀର ତଦନ୍ତ ଜାରି ରଖିଛନ୍ତି।





