ବ୍ରହ୍ମବରଦା: ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳରେ ଘଟିଥିବା ଏକ ଭୟାବହ ଅଗ୍ନିକାଣ୍ଡରେ ସ୍ଥାନୀୟ ବଜାରର ୬ଟି ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଛି। ଘଟଣାରେ ବ୍ୟବସାୟୀମାନଙ୍କର ବ୍ୟାପକ ଧନ-ସମ୍ପତ୍ତି କ୍ଷତି ଘଟିଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ଗତରାତି ପ୍ରାୟ ୨ଟା ୩୦ ମିନିଟ ସମୟରେ ହଠାତ୍ ଦୋକାନଗୁଡ଼ିକରେ ଅଗ୍ନିକାଣ୍ଡ ଲାଗିଥିଲା। ଅଗ୍ନିଶିଖା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ତୁରନ୍ତ ବରୁଆଁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ପ୍ରୟାସ ପରେ ଅଗ୍ନିକୁ ନିୟନ୍ତ୍ରଣ କରିଥିଲେ। କିନ୍ତୁ ସେପର୍ଯ୍ୟନ୍ତ ହେମନ୍ତ ଲସି ଦୋକାନ, ଦେବେନ୍ଦ୍ର ମିଠା ଦୋକାନ, ରମେଶ ଚା ଦୋକାନ, ପ୍ରତାପ ଭେରାଇଟି ଷ୍ଟୋର, ସଦାବ ସୁ ହାଉସ ଓ ନଜିମୁଦ୍ଧିନଙ୍କ ସାଇକେଲ ଦୋକାନ ସମେତ ମୋଟ ୬ଟି ଦୋକାନ ପୂରାପୁରି ଧ୍ୱଂସ ହୋଇଯାଇଛି।
ଅଗ୍ନିକାଣ୍ଡରେ ଦୋକାନ ଭିତରେ ରହିଥିବା ନଗଦ ଟଙ୍କା, ସାମଗ୍ରୀ ଓ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାରମ୍ଭିକ ତଦନ୍ତରୁ ବିଦ୍ୟୁତ୍ ସର୍ଟ ସର୍କିଟକୁ ଅଗ୍ନିକାଣ୍ଡର ସମ୍ଭାବ୍ୟ କାରଣ ଭାବେ ଧରାଯାଉଥିବା ବେଳେ, ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।
ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।





