ଭୁବନେଶ୍ୱର: ଓଡ଼ିଶାରେ ଆଦିବାସୀ ବିକାଶ ଓ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅନିୟମିତତା ହୋଇଥିବାକୁ କମ୍ପ୍ଟ୍ରୋଲର୍ ଏବଂ ଆଡିଟର୍ ଜେନେରାଲ (ସିଏଜି)ଙ୍କ ରିପୋର୍ଟ ଉଜାଗର କରିଛି। ୨୦୧୮ରୁ ୨୦୨୩ ମଧ୍ୟରେ ୧୭୦୯ କୋଟି ଟଙ୍କା ଅନୁଦାନରୁ କେବଳ ୧୧୯୦ କୋଟି ଖର୍ଚ୍ଚ ହୋଇଥିବା ବେଳେ, ବହୁଳାଂଶ ଅର୍ଥର ଦୁର୍ବ୍ୟବହାର ହୋଇଥିବା ଖୋଜ ମିଳିଛି।
ସାମ୍ବାଦିକ ସମ୍ମିଳନୀରେ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ ଅତୁଲ ପ୍ରକାଶ କହିଛନ୍ତି ଯେ, ଆଇଟିଡିଏ (ସମନ୍ୱିତ ଆଦିବାସୀ ବିକାଶ ଏଜେନ୍ସି) ପାଇଁ ଆସିଥିବା ଅନୁଦାନ ଟଙ୍କାକୁ ଜୁନିୟର ଏବଂ ଆସିଷ୍ଟାଣ୍ଟ ଇଞ୍ଜିନିୟରମାନେ ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟବହାର କରିଥିଲେ। ୧୪୮ କୋଟି ଟଙ୍କା ମୋବାଇଲ ରିଚାର୍ଜ, ବୀମା ପ୍ରିମିୟମ ଓ ATM ରୁ ଉଠାଣ ଭଳି କାମରେ ବ୍ୟୟ ହୋଇଥିବା ଧରାପଡିଛି।
ସିଏଜି ରିପୋର୍ଟରେ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନେଇ ମଧ୍ୟ ଅନିୟମିତତା ଚିହ୍ନଟ ହୋଇଛି। ୨୩୬ ପ୍ରକଳ୍ପରୁ ୧୬୧ଟି କାମ ଶେଷ, ୨୩ଟି କାମ ଚାଲୁ ଓ ୫୨ଟି ପ୍ରକଳ୍ପର କାମ ଆରମ୍ଭ ହୋଇନଥିବା କଥା ସାମ୍ନାକୁ ଆସିଛି। ଠିକାଦାରଙ୍କ ଅନୁଚିତ ପ୍ରଭାବ ଓ ଜମି ଅଧିଗ୍ରହଣରେ ବିଳମ୍ବକୁ ପ୍ରକଳ୍ପ ବିଳମ୍ବର ମୁଖ୍ୟ କାରଣ ବୋଲି ଉଲ୍ଲେଖ ହୋଇଛି।
ତାସହିତ, ସ୍ଵତନ୍ତ୍ର ବିଦ୍ୟାଳୟମାନେ ପ୍ରାଥମିକ ସୁବିଧାର ଅଭାବରେ ରହିଥିବା, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବ୍ରେଲି ବହି, ଶ୍ରବଣ ଯନ୍ତ୍ର ଓ ହଷ୍ଟେଲ ସୁବିଧା ପ୍ରଦାନ ନହୋଇଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖିତ ହୋଇଛି।