ସମ୍ବାଦ: ଭୁବନେଶ୍ୱର: ଆଧୁନିକ ଓଡ଼ିଶାର ନିର୍ମାତା ଭାବେ ପରିଚିତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ସମାରୋହ ଭୁବନେଶ୍ୱରରେ ଭବ୍ୟ ଭାବେ ଉଦଘାଟିତ ହୋଇଛି। କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ।

ଉଦଘାଟନୀ ସମାରୋହରେ ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରପ୍ପା ମୋଇଲି, ରାଜ୍ୟସଭା ସଦସ୍ୟ ରଣଦୀପ ସୁର୍ଜେୱାଲା, କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ରବି ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।

ସ୍ବାଗତ ଭାଷଣରେ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଆ ଅସ୍ମିତାର ପଥପ୍ରଦର୍ଶକ ଥିଲେ। ସେ ଓଡ଼ିଶାରେ ପ୍ରଥମେ ଏକ ସ୍ଥିର ଏବଂ ଦୂରଦର୍ଶୀ ଶାସନ ପ୍ରଦାନ କରିଥିଲେ। ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନରେ ତାଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଶତବାର୍ଷିକୀ ଉତ୍ସବ ଆୟୋଜିତ ହୋଇଛି।

ଏହି ଅବସରରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୀବନ ଓ କର୍ମଯାତ୍ରା ଉପରେ ଆଧାରିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଆଜିଠାରୁ ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଶତବାର୍ଷିକୀ ସମ୍ପର୍କିତ ଅନେକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଘୋଷଣା କରାଯାଇଛି।

୧୯୨୭ ମସିହା ଜାନୁଆରୀ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଇତିହାସରେ ଏକ ଅମିଟ ସ୍ୱାକ୍ଷର ଛାଡିଯାଇଛନ୍ତି। ଦୂରଦର୍ଶୀ ଚିନ୍ତାଧାରା, ସାଂଗଠନିକ ଦକ୍ଷତା ଓ ସାହିତ୍ୟିକ ପାଣ୍ଡିତ୍ୟରେ ସେ ଏକ ଅଦ୍ୱିତୀୟ ବ୍ୟକ୍ତିତ୍ୱ ଥିଲେ।

ତିନିଥର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତା ଓ ଆସାମର ରାଜ୍ୟପାଳ ଭାବେ ଦାୟିତ୍ୱ ପାଳନ କରିଥିବା ଜାନକୀ ବଲ୍ଲଭ ପଟ୍ଟନାୟକ ଶିଳ୍ପ, କୃଷି, ସାମାଜିକ କଲ୍ୟାଣ, କଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶାକୁ ଏକ ନୂଆ ଦିଗ ଦେଇଥିଲେ।

ଆଜି ତାଙ୍କ ଶତବାର୍ଷିକୀ ଅବସରରେ ସମଗ୍ର ଓଡ଼ିଶା ତାଙ୍କ ସ୍ମୃତିକୁ ନମନ କରୁଥିବା ବେଳେ, ତାଙ୍କ ଆଦର୍ଶ ଓ କର୍ମଫଳ ଆଗାମୀ ପିଢ଼ି ପାଇଁ ପ୍ରେରଣାର ମୂଳସ୍ରୋତ ହୋଇ ରହିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି।