ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ୨୧ ଜାନୁଆରୀ ୨୦୨୬ ର ନୋଟିଫିକେଶନ୍କୁ ନେଇ ବଜାରରେ ସୃଷ୍ଟି ହୋଇଥିବା ଅସ୍ପଷ୍ଟତାକୁ ନେଇ ଗୋପାଳ ଗ୍ରୁପ୍ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର ତମ୍ବାଖୁ, ଜର୍ଦ୍ଦା କିମ୍ବା ଖଇନି ଉପରେ କୌଣସି ପ୍ରତିବନ୍ଧ ଲାଗୁ କରିନାହାନ୍ତି।
ଗୋପାଳ ଗ୍ରୁପ୍ ଜାରି କରିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ସରକାରଙ୍କ ନୋଟିଫିକେଶନ୍ ଅନୁସାରେ କେବଳ ଦୁଇ ପ୍ରକାର ଉତ୍ପାଦ ଉପରେ ପ୍ରତିବନ୍ଧ ଲାଗୁ କରାଯାଇଛି। ପ୍ରଥମତଃ ନିକୋଟିନ୍ ଥିବା ଖାଦ୍ୟ ପଦାର୍ଥ ଯଥା ଗୁଟଖା, ଖରା ମସଲା, ମାୱା ଇତ୍ୟାଦି। ଦ୍ୱିତୀୟତଃ, ପାନ୍ ମସଲା ଓ ତମ୍ବାଖୁ ସାଚେଟ୍କୁ ଏକସାଥିରେ ଷ୍ଟାପଲ୍ କରି ବିକ୍ରି କରିବା ପ୍ରକ୍ରିୟା ଉପରେ ମଧ୍ୟ ନିଷେଧ ଜାରି ହୋଇଛି।
ତେବେ କିଛି ସମ୍ବାଦପତ୍ର ଓ ମିଡିଆ ସଂସ୍ଥା ଏହି ନୋଟିଫିକେଶନ୍କୁ ଭୁଲ୍ ଭାବରେ ବୁଝି ଚିବା ତମ୍ବାଖୁ ମଧ୍ୟ ବନ୍ଦ ହୋଇଯାଇଥିବା ବୋଲି ଖବର ପ୍ରକାଶ କରୁଥିବା ଦାବି କରିଛି ଗୋପାଳ ଗ୍ରୁପ୍। ଏହା ଫଳରେ ବଜାରରେ ଅନାବଶ୍ୟକ ଭୟ ଓ ଅସ୍ପଷ୍ଟତା ସୃଷ୍ଟି ହୋଇଛି ବୋଲି ସଂସ୍ଥା କହିଛି।
ଏହି ପରିସ୍ଥିତିରେ ସଂସ୍ଥା ପକ୍ଷରୁ ସମସ୍ତ ଚ୍ୟାନେଲ୍ ପାର୍ଟନର୍ ଓ ବ୍ୟବସାୟୀମାନଙ୍କୁ ଭ୍ରାମକ ଖବରରେ ଭୟଭୀତ ନହୋଇ ସାଧାରଣ ଭାବରେ ଚିବା ତମ୍ବାଖୁ ପଦାର୍ଥ ବିକ୍ରି ଜାରି ରଖିବାକୁ ଅନୁରୋଧ କରାଯାଇଛି। ଯଦି କୌଣସି ସରକାରୀ ବିଭାଗ କିମ୍ବା ପୋଲିସ୍ ପକ୍ଷରୁ ଏହା ସମ୍ପର୍କରେ କୌଣସି ସମସ୍ୟା ହୁଏ, ତେବେ ସତ୍ତ୍ୱରେ ସଂସ୍ଥାକୁ ଜଣାଇବାକୁ ମଧ୍ୟ କୁହାଯାଇଛି।





