ନୂଆଦିଲ୍ଲୀ/ଭୁବନେଶ୍ୱର:
ଭାରତର ଭାଷାଗତ ଐତିହ୍ୟକୁ ସୁଦୃଢ଼ କରିବା ଓ ଶାସ୍ତ୍ରୀୟ ଭାଷାଗୁଡ଼ିକୁ ଶିକ୍ଷା ଏବଂ ଗବେଷଣାର କେନ୍ଦ୍ରବିନ୍ଦୁରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀର କୌଶଳ ଭବନରେ ୫୫ଟି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥର ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକଗୁଡ଼ିକ ଓଡ଼ିଆ, କନ୍ନଡ, ତେଲୁଗୁ, ମାଲାୟାଲମ, ତାମିଲ ଓ ସାଙ୍କେତିକ ଭାଷାରେ ପ୍ରକାଶିତ ହୋଇଛି।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନୀତି ଅନୁଯାୟୀ ଭାରତର ସମସ୍ତ ଭାଷା ରାଷ୍ଟ୍ରୀୟ ମହତ୍ତ୍ୱର ଅଧିକାରୀ। ଭାଷା ଭେଦ ନୁହେଁ, ବରଂ ଏହା ଦେଶରେ ଏକତା ସୃଷ୍ଟି କରେ। ‘ରାଷ୍ଟ୍ରୀୟ ଶିକ୍ଷା ନୀତି–୨୦୨୦’ ଅଧୀନରେ ଭାରତୀୟ ଭାଷାଗୁଡ଼ିକୁ ଶିକ୍ଷା ଓ ଅନୁସନ୍ଧାନର ମୁଖ୍ୟ ଆଧାର କରିବାକୁ ସରକାର ଲଗାତାର ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।
ଶାସ୍ତ୍ରୀୟ ଓଡ଼ିଆ ଭାଷା ପାଇଁ ନୂଆ ମାଇଲଖୁଣ୍ଟ
ଉନ୍ମୋଚିତ ପୁସ୍ତକମାନଙ୍କ ମଧ୍ୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଅଧ୍ୟୟନ କେନ୍ଦ୍ର (CESCO) ପକ୍ଷରୁ ପ୍ରସ୍ତୁତ ୧୦ଟି ଗଭୀର ଗବେଷଣାତ୍ମକ କୃତି ମଧ୍ୟ ଅନ୍ତର୍ଭୁକ୍ତ। ଏହି ପୁସ୍ତକଗୁଡ଼ିକ ଓଡ଼ିଆ ଭାଷାର ପ୍ରାଚୀନତା, ଶାସ୍ତ୍ରୀୟ ମର୍ଯ୍ୟାଦା ଓ ସାଂସ୍କୃତିକ ସମୃଦ୍ଧିକୁ ଆହୁରି ମଜବୁତ କରିବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଚର୍ଯ୍ୟାପଦରୁ ଆରମ୍ଭ କରି ମାଦଳାପାଞ୍ଜି ପର୍ଯ୍ୟନ୍ତ ଓଡ଼ିଆ ଭାଷାର ଶବ୍ଦ ସମ୍ପଦ ଓ ଐତିହ୍ୟକୁ ଏହି ପ୍ରକାଶନଗୁଡ଼ିକ ନୂଆ ଭାବେ ଉପସ୍ଥାପନ କରିବ। ବିଶେଷକରି ‘ମାଦଳାପାଞ୍ଜି’ର ଇଂରାଜୀ ଓ ହିନ୍ଦୀ ଅନୁବାଦ ଏବଂ ‘ରୁଦ୍ରସୁଧାନିଧି’ର ଇଂରାଜୀ ଅନୁବାଦ ଓଡ଼ିଶାର ଇତିହାସ ଓ ଦର୍ଶନକୁ ଅନ୍ୟ ଭାଷାଭାଷୀ ପାଠକଙ୍କ ନିକଟକୁ ପହଞ୍ଚାଇବ।
ଗବେଷଣା ଓ ସମାବେଶୀ ଭାରତର ସନ୍ଦେଶ
‘ତିରୁକ୍କୁରଲ’ର ସାଙ୍କେତିକ ଭାଷା ସଂସ୍କରଣକୁ ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଛନ୍ତି, ଏହା ଏକ ସମାବେଶୀ ଓ ସମତାମୂଳକ ଭାରତର ପ୍ରତିଛବି ପ୍ରଦର୍ଶନ କରେ। ଏହି ପ୍ରୟାସ ପାଇଁ ସେ ଭାରତୀୟ ଭାଷା ସମିତି, CIIL, CIHT ଏବଂ ସମସ୍ତ ସେଣ୍ଟର ଅଫ୍ ଏକ୍ସଲେନ୍ସର ବିଦ୍ୱାନମାନଙ୍କୁ ସାଧୁବାଦ ଜଣାଇଛନ୍ତି।
ଉଲ୍ଲେଖନୀୟ ଯେ, CESCO ପକ୍ଷରୁ ଉନ୍ମୋଚିତ ଏହି ୧୦ଟି ଗବେଷଣାତ୍ମକ ପୁସ୍ତକ ଓଡ଼ିଆ ଭାଷା, ସାହିତ୍ୟ, ସଙ୍ଗୀତ, ଇତିହାସ ଓ ଶିଳ୍ପ ଶବ୍ଦାବଳୀକୁ ନେଇ ଗଭୀର ଅଧ୍ୟୟନ ପ୍ରଦାନ କରିଥାଏ। ଏହାଗୁଡ଼ିକ ଆଗାମୀ ପିଢ଼ିର ଗବେଷକ, ଶିକ୍ଷାର୍ଥୀ ଓ ଭାଷାପ୍ରେମୀଙ୍କ ପାଇଁ ଏକ ଦୀର୍ଘକାଳୀନ ବୌଦ୍ଧିକ ସମ୍ପତ୍ତି ଭାବେ କାମ ଆସିବ ବୋଲି ମତ ପ୍ରକାଶ ପାଇଛି।





