ଭୁବନେଶ୍ୱର: ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖାଦ୍ୟ ବଣ୍ଟନ ବ୍ୟବସ୍ଥାରେ ଗୁଣାତ୍ମକ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଟେକ୍-ହୋମ୍-ରାସନ୍ ଯୋଜନାରେ ବିଶେଷତଃ ଛତୁଆର ଉତ୍ପାଦନ, ପ୍ୟାକେଜିଂ ଓ ବଣ୍ଟନ ପ୍ରଣାଳୀକୁ ଆହୁରି କାର୍ଯ୍ୟକାରୀ କରିବା ପାଇଁ ଉତ୍ତମ ତଦାରଖ ଓ ମୂଲ୍ୟାଙ୍କନ ଆବଶ୍ୟକ। ସେ କହିଥିଲେ ଯେ, ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ରାଜ୍ୟର ସମଗ୍ର ବିକାଶ ପାଇଁ ମୂଳଭିତ୍ତି ଏବଂ ଏଥିରେ ଅଣଦେଖା କରିହେବ ନାହିଁ।

ବର୍ତ୍ତମାନ ରାଜ୍ୟର ୫୪୬ଟି ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଛତୁଆ ଉତ୍ପାଦନ ଓ ବଣ୍ଟନ କରାଯାଉଛି। ପ୍ରାୟ ୪୩.୯୨ ଲକ୍ଷ ଲୋକ ଟେକ୍-ହୋମ୍ ରେସନ୍, ପରିପୂରକ ପୁଷ୍ଟି ଯୋଜନା (SNP), କିଶୋରୀ ବାଳିକା ପୁଷ୍ଟି ଯୋଜନା ଓ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରୁ ଲାଭାନ୍ବିତ ହେଉଛନ୍ତି।

ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଅଙ୍ଗନବାଡୀ କେନ୍ଦ୍ର ପାଇଁ ସ୍ୱତନ୍ତ୍ର ଗୃହ ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଛନ୍ତି ଯେ, ଯେଉଁଠାରେ ନିଜସ୍ୱ ଗୃହ ନାହିଁ, ସେଠାରେ ଆବଶ୍ୟକତାନୁସାରେ ଜମି କିଣି ଅଙ୍ଗନବାଡୀ ନିର୍ମାଣ କରାଯିବ। ଏଥିପାଇଁ ଓମ୍ବାଡସି ଓ ଡିଏମଏଫ୍ ଧନରୁ ମଧ୍ୟ ଅର୍ଥ ଯୋଗାଣ କରାଯିବ।

ସେହିପରି, ପଡା ପୁଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ଅଙ୍ଗନବାଡୀକୁ ଯାଇ ପାରୁନଥିବା ପିଲାମାନଙ୍କ ଘରକୁ ସମୟରେ ଖାଦ୍ୟ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତା’ସହିତ, ଅଙ୍ଗନବାଡୀ ପିଲାମାନଙ୍କ ପୋଷାକ ଓ ଜୋତା ସରବରାହରେ ରାଜ୍ୟର କ୍ଷୁଦ୍ର ଶିଳ୍ପଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବାର କଥା ମଧ୍ୟ କହିଥିଲେ।