ଭୁବନେଶ୍ୱର, ୨୭/୧୨: ରାଜ୍ୟର ଯୁବଶକ୍ତିଙ୍କୁ ସଶକ୍ତ କରିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ୧୧ଟି ବିଭାଗରେ ୧,୫୪୩ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ରେଳ ଅଡିଟୋରିୟମଠାରେ ଆୟୋଜିତ ନିଯୁକ୍ତି ମେଳାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ନିଯୁକ୍ତି ପତ୍ର ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ସମସ୍ତ ସଫଳ ଯୁବ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମର ଫଳରେ ସେମାନେ ଏହି ସଫଳତା ହାସଲ କରିଛନ୍ତି। ଏହି ଯୁବ ଅଧିକାରୀମାନେ ରାଜ୍ୟର ପ୍ରଗତିର ମୂଳ ଶକ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।
ଏନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ତାଙ୍କ ସରକାର ଯୁବଶକ୍ତିଙ୍କୁ ସୁଯୋଗ ଦେବାକୁ ସରକାରୀ ଚାକିରିର ବୟସ ସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି କରିଛି। ଏହା ସହ ଶିଳ୍ପାୟନ ମାଧ୍ୟମରେ ରୋଜଗାର ସୃଷ୍ଟି ପାଇଁ ମଧ୍ୟ ସରକାରଙ୍କ ଅଭିଯାନ ଅବ୍ୟାହତ ରହିଛି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ନିଯୁକ୍ତି ପ୍ରକ୍ରିୟା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ।
ଏହି ଅବସରରେ ନବନିଯୁକ୍ତମାନଙ୍କୁ ‘ସୁଶାସନ’ର ତିନୋଟି ମୂଳ ମନ୍ତ୍ର—ସ୍ଵଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅଭିଯୋଗର ତ୍ଵରିତ ସମାଧାନ—ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ। ସରକାର ଦୁର୍ନୀତି ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇଥିବାରୁ, କାର୍ଯ୍ୟର ପ୍ରଥମ ଦିନରୁ ନିଷ୍ଠା ଓ ସ୍ଵଚ୍ଛତା ସହ ଜନସେବାରେ ନିଜକୁ ଉତ୍ସର୍ଗ କରିବାକୁ ସେ ଆହ୍ୱାନ କରିଥିଲେ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ନବନିଯୁକ୍ତମାନେ ଯଦି ଦକ୍ଷତାର ସହ କାମ କରି ସାଧାରଣ ଲୋକଙ୍କୁ ସମ୍ମାନ ଦେବେ, ତେବେ ଶୀଘ୍ର ଏକ ‘ସମୃଦ୍ଧ ଓଡ଼ିଶା’ ଗଠନର ଲକ୍ଷ୍ୟ ସାଧ୍ୟ ହେବ।





