ଭୁବନେଶ୍ୱର, ୫ ଜୁଲାଇ – ରାଜ୍ୟ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ବ୍ୟବସ୍ଥା ଗଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ଜଣ ଦୁର୍ନୀତି ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।
ପ୍ରଥମ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ, ଯେଉଁଠାରେ କଣିହା ବ୍ଲକର ପୂର୍ବତନ ଯୋଗାଣ ନିରୀକ୍ଷକ ବବିଲତା ବେହେରାଙ୍କ ବିରୋଧରେ ଲାଞ୍ଚ ଗ୍ରହଣର ଅଭିଯୋଗ ଥିଲା। ଏହି ମାମଲାରେ ଭିଜିଲାନ୍ସ ତଦନ୍ତ ପରେ ବେହେରାଙ୍କୁ ଦୋଷୀ ଘୋଷଣା କରି ଅନୁଗୁଳ ଭିଜିଲାନ୍ସ ସ୍ପେସାଲ୍ ଜଜ୍ ତାଙ୍କୁ ଦଣ୍ଡ ବିଧାନ କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ବେହେରାଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦ୍ୱିତୀୟ ଘଟଣା ଯାଜପୁର ଜିଲ୍ଲାର, ଯେଉଁଠି ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ମଧ୍ୟ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି କଠୋର ପଦକ୍ଷେପ ରାଜ୍ୟରେ ସୁଶାସନ ବାସ୍ତବାୟନ ପ୍ରତି ତାଙ୍କ ଦୃଢ଼ ଅଙ୍ଗୀକାରକୁ ପ୍ରମାଣ କରୁଛି। ଏହି ଧରଣର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ଅନ୍ୟ ଅଧିକାରୀଙ୍କ ପାଇଁ ମେସେଜ୍ ହେବ ବୋଲି ଅନୁମାନ କରାଯାଉଛି।





