ଘୁ. ଉଦୟଗିରି/କନ୍ଧମାଳ: ସାଧାରଣତଃ କଡା ଶୀତ ପାଇଁ ପରିଚିତ କନ୍ଧମାଳ ଜିଲ୍ଲାରେ ଏବେ ଫଗୁଣ ମାସରେ ମଧ୍ୟ ଜାଡ଼ର ପ୍ରକୋପ ଜାରି ରହିଛି। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ତାପମାତ୍ରା ବୃଦ୍ଧି ପଥରେ ଥିବା ବେଳେ ଘୁ. ଉଦୟଗିରିରେ ପାଗ ଅସାମାନ୍ୟ ଭାବେ ଶୀତଳ ରହିଛି। ଆଜି ସହରର ସବୁଠାରୁ କମ୍‌ ତାପମାତ୍ରା ୫.୬ ଡିଗ୍ରି ସେଲସିଅସ୍‌ ରେକର୍ଡ ହୋଇଛି।

ଗତକାଲି ଏଠାରେ ତାପମାତ୍ରା ୯ ଡିଗ୍ରି ଥିବା ବେଳେ କେବଳ ଗୋଟିଏ ଦିନରେ ପ୍ରାୟ ୩.୪ ଡିଗ୍ରି ହ୍ରାସ ପାଇଛି। ଶୀତ ଋତୁର ଶେଷ ପର୍ଯ୍ୟାୟରେ ଏପରି ହଠାତ୍‌ ପାରା ପତନ ଲୋକଙ୍କୁ ଅଚମ୍ବିତ କରିଛି। ଫଗୁଣ ଆରମ୍ଭ ହେବା ସତ୍ତ୍ୱେ ଜାଡ଼ ଅବସ୍ଥା ଚାଲୁ ରହିବାରୁ ଦୈନନ୍ଦିନ ଜୀବନରେ ପ୍ରଭାବ ପଡ଼ୁଛି।

ସକାଳ ଓ ରାତିରେ ସୁଲୁସୁଲିଆ ଶୀତଳ ପବନ ବହୁଥିବାରୁ ଥଣ୍ଡାର ଅନୁଭୂତି ଅଧିକ ହେଉଛି। ଦିନେ ସୂର୍ଯ୍ୟ ତାପ ଅନୁଭବ ହେଉଥିଲେ ମଧ୍ୟ ସଞ୍ଜ ପରେ ପୁଣି ଶୀତ ବଢ଼ିଯାଉଛି। କିଛି ଦିନ ଧରି ଶୀତ କମିଥିବାରୁ ଲୋକେ ଶୀତବସ୍ତ୍ର ବ୍ୟବହାର କମାଇଥିଲେ, କିନ୍ତୁ ପୁଣି ପାରା ତଳକୁ ଖସିବାରୁ ଗରମ ବସ୍ତ୍ର ପରିଧାନ କରୁଥିବା ଦେଖାଯାଉଛି।

ସ୍ଥାନୀୟ ଅଞ୍ଚଳରେ ଚାଲୁଥିବା ଶୀତ ମହୋତ୍ସବ ‘ତୁଷାର’ ସମୟରେ ଏହି କଡା ଥଣ୍ଡା ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କୁ ଅଲଗା ଅନୁଭବ ଦେଉଛି। ଉତ୍ସବର ଆନନ୍ଦ ସହ ଜାଡ଼ର ମଜା ମଧ୍ୟ ଉଠାଉଛନ୍ତି ଲୋକମାନେ।