କଟକ: ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛି ଯେ, ଚୁକ୍ତିଭିତ୍ତିକ ନିଯୁକ୍ତିରେ ଥିବା ମହିଳା କର୍ମଚାରୀମାନେ ବେତନ ସହିତ ମାତୃତ୍ୱ ଛୁଟି ପାଇବାକୁ ହକଦାର। ରାଜ୍ୟ ସରକାରଙ୍କ ରିଟ୍ ଆବେଦନକୁ ଖାରଜ କରି ଏହି ମହତ୍ତ୍ୱପୂର୍ଣ୍ଣ ରାୟ ଦେଇଛି ଡିଭିଜନ ବେଞ୍ଚ।
ଏହି ମାମଲା ୨୦୨୨ ମସିହାରେ ଆରମ୍ଭ ହୋଇଥିଲା, ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗର ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ମାତୃତ୍ୱ ଛୁଟି ପାଇଁ ଆବେଦନ କରିଥିଲେ। ବିଭାଗ ତାହାକୁ ଖାରଜ କରିଥିଲା, ଯାହା ବିରୋଧରେ ତିନି ବର୍ଷ ପୂର୍ବରୁ ହାଇକୋର୍ଟ ଏକକ ବିଚାରପତି ବେଞ୍ଚ ଏକ ରାୟ ଦେଇଥିଲେ। ସେହି ରାୟକୁ ଡିଭିଜନ ବେଞ୍ଚ ଏବେ କାଏମ୍ ରଖିଛି।
ରାଜ୍ୟ ସରକାର ଦାବି କରିଥିଲେ ଯେ, ଚୁକ୍ତି ଅନୁସାରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ମାତୃତ୍ୱ ସୁବିଧା ପାଇବାକୁ ହକଦାର ନୁହେଁ। କିନ୍ତୁ ବେଞ୍ଚ୍ ଏହାକୁ ଖାରଜ କରି କହିଛି ଯେ, ମାତୃତ୍ୱ ଛୁଟି ମହିଳା କର୍ମଚାରୀମାନଙ୍କ ମୌଳିକ ଅଧିକାର ଅଟୁଟ ଅଂଶ ଏବଂ ଏହି ସୁବିଧାରେ ଚୁକ୍ତି ଓ ନିୟମିତ କର୍ମଚାରୀଙ୍କ ମଧ୍ୟରେ କୌଣସି ଭେଦ ରଖାଯିବା ଆଇନଗତ ନୁହେଁ।
କୋର୍ଟ ସ୍ପଷ୍ଟ କରିଛି ଯେ, ମା’ ଓ ଶିଶୁଙ୍କ ମଧ୍ୟରେ ଥିବା ସମ୍ପର୍କ ସ୍ନେହ ଓ ସେବା ପାଇଁ ଅତ୍ୟନ୍ତ ଜରୁରୀ। ମାତୃତ୍ୱ ଛୁଟି ପ୍ରଦାନ ଏକ ସମ୍ବିଧାନିକ ଅଧିକାର ଭାବେ ଦେଖାଯିବା ଉଚିତ୍ ଏବଂ ଏହି ଅଧିକାର ସମସ୍ତ ମହିଳା କର୍ମଚାରୀଙ୍କୁ ଲାଗୁ ହେବା ଦରକାର।
ମାଡ୍ରାସ ଏବଂ କଲିକତା ହାଇକୋର୍ଟ ବି ଏହି ମତ ସହିତ ସହମତି ପ୍ରକାଶ କରି ପୂର୍ବରୁ ରାୟ ଦେଇଛନ୍ତି। ମାତୃତ୍ୱ ଏକ ସାମାଜିକ ଗୁଣ ଓ ଜନନ ଅଧିକାର ସହିତ ସମ୍ପୃକ୍ତ ଥିବାରୁ, ରାଜ୍ୟ ଏହାକୁ ସମ୍ମାନ ଓ ସୁନିଶ୍ଚିତ କରିବା ଦାୟିତ୍ୱ ଅନୁଭବ କରିବା ଉଚିତ୍।