ଭୁବନେଶ୍ୱର: ପିଆଇବି ତତ୍ତ୍ୱାବଧାନରେ ମଧ୍ୟପ୍ରଦେଶରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଦଳ ଓଡ଼ିଶା ଗସ୍ତର ଚତୁର୍ଥ ଦିନରେ ଭୁବନେଶ୍ୱରସ୍ଥିତ ICMR-Regional Medical Research Centre (ଆରଏମଆରସି) ପରିଦର୍ଶନ କରି ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉଥିବା ଅତ୍ୟାଧୁନିକ ଗବେଷଣା କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଛନ୍ତି।
ଏହି ଅବସରରେ Indian Council of Medical Research (ଆଇସିଏମଆର)ର ଏଡିଜି ଓ ଆରଏମଆରସି ନିର୍ଦ୍ଦେଶିକା ଡ଼ଃ ସଂଘମିତ୍ରା ପତି ସାମ୍ବାଦିକମାନଙ୍କୁ ସ୍ୱାଗତ କରି ସଂସ୍ଥାର ଗବେଷଣାମୂଳକ ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ। ସେ କହିଥିଲେ, କୋଭିଡ୍-୧୯ ମହାମାରୀ ଭାରତକୁ ନିର୍ଭରଶୀଳତାରୁ ଆତ୍ମନିର୍ଭରଶୀଳତା ଦିଗରେ ଗତି କରିବାକୁ ଦୃଢ଼ ଶିକ୍ଷା ଦେଇଛି। ସ୍ୱଦେଶୀ ପ୍ରଯୁକ୍ତିରେ ଉନ୍ନତ ରୋଗ ଚିହ୍ନଟ ପ୍ରଣାଳୀ ଓ ନବାନ୍ବେଷଣ ସ୍ୱାସ୍ଥ୍ୟ ସଙ୍କଟ ପରିଚାଳନାରେ ମୂଳଭୂମିକା ନିଭାଇଥିବାକୁ ସେ ଉଲ୍ଲେଖ କରିଥିଲେ।
ପରିଦର୍ଶନ ସମୟରେ ପ୍ରତିନିଧି ଦଳ ବୈଜ୍ଞାନିକମାନଙ୍କ ସହ ମତବିନିମୟ କରିଥିଲେ। ମ୍ୟାଲେରିଆ, ଯକ୍ଷ୍ମା, ସିକିଲ୍ ସେଲ୍, ଆଣ୍ଟିବାୟୋଟିକ୍ ପ୍ରତିରୋଧ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଚାଲିଥିବା ଗବେଷଣା ବିଷୟରେ ସୂଚନା ଦିଆଯାଇଥିଲା। କୋଭିଡ୍ ସମୟରେ ବ୍ୟାପକ ପରୀକ୍ଷା, ଟିକା ପ୍ରଭାବ ଅନୁଧ୍ୟାନ ଓ ସରକାରୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଦିଆଯାଇଥିବା ବୈଷୟିକ ସହଯୋଗକୁ ସାମ୍ବାଦିକମାନେ ପ୍ରଶଂସା କରିଥିଲେ।
ଏହାସହିତ ପ୍ରତିନିଧି ଦଳ Central Tool Room and Training Centre (ସିଟିଟିସି)କୁ ମଧ୍ୟ ପରିଦର୍ଶନ କରି ସେଠାର ଆଧୁନିକ ମାନୁଫ୍ୟାକ୍ଚରିଂ ଓ ପ୍ରଶିକ୍ଷଣ ସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଇଣ୍ଡଷ୍ଟ୍ରି ୪.୦, ରୋବୋଟିକ୍ସ ଓ ସିଏନସି ମେସିନିଂ ଭଳି ଉନ୍ନତ ପ୍ରଯୁକ୍ତି ବିଷୟରେ ଅଧିକାରୀମାନେ ତଥ୍ୟ ଦେଇଥିଲେ।
ବିଶେଷକରି Chandrayaan-3 ପାଇଁ ଆବଶ୍ୟକ ଯନ୍ତ୍ରାଂଶ ନିର୍ମାଣ ଓ ଗଗନଯାନ ମିଶନରେ ସହଭାଗିତା ଭାରତର ବୈଷୟିକ କ୍ଷମତାକୁ ପ୍ରକାଶ କରୁଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ISRO, DRDO ଓ Hindustan Aeronautics Limited ସହ ସହଯୋଗରେ ସିଟିଟିସିର ଅବଦାନ ଓ ବର୍ଷକୁ ହଜାର ହଜାର ଯୁବକଙ୍କୁ ବୈଷୟିକ ପ୍ରଶିକ୍ଷଣ ଦେଇ ସ୍ୱାବଳମ୍ବୀ କରିବାର ପ୍ରୟାସକୁ ପ୍ରତିନିଧି ଦଳ ସ୍ୱାଗତ କରିଥିଲେ।
ଏହି ପରିଦର୍ଶନ ମାଧ୍ୟମରେ ବୈଜ୍ଞାନିକ ଉପଲବ୍ଧି ଓ ସାଧାରଣ ଜନସାଧାରଣଙ୍କ ମଧ୍ୟରେ ସୂଚନା ବିନିମୟ ବୃଦ୍ଧି ପାଇବା ସହ ଦେଶର ବଢୁଥିବା ସ୍ୱାସ୍ଥ୍ୟ ଓ ବୈଷୟିକ କ୍ଷମତା ବିଷୟରେ ସ୍ପଷ୍ଟ ଧାରଣା ମିଳିଥିବା କୁହାଯାଇଛି।





