ଯାଜପୁର: ସାଇବର ଠକେଇ ସଂପୃକ୍ତ ଏକ ଆର୍ଥିକ କାରବାର ମାମଲାରେ କଟକ କ୍ରାଇମବ୍ରାଞ୍ଚ ଟିମ୍ ଓ ଧର୍ମଶାଳା ଥାନା ପୁଲିସ ମିଳିତଭାବେ ଗତକାଲି ରାତିରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ତରଞ୍ଜିଆ ପଞ୍ଚାୟତ ଅନ୍ତର୍ଗତ ପୋବଳ ଗାଁରେ ଚଢ଼ାଉ କରିଛନ୍ତି।
ସୂଚନାଅନୁଯାୟୀ, ସାଇବର ଠକେଇ ମାଧ୍ୟମରେ ହୋଇଥିବା ଆର୍ଥିକ ଲେନଦେନ ସମ୍ପର୍କରେ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନାଙ୍କ ଘରେ ଏହି ଚଢ଼ାଉ କରାଯାଇଥିଲା। ରେଡ୍ ସମୟରେ ପୁଲିସ ସରୋଜ ଜେନାଙ୍କ ଘରୁ ପ୍ରାୟ ୨୦ ଲକ୍ଷ ଟଙ୍କା ନଗଦ ରାଶି ଜବତ କରିଛି।
ଏହି ମାମଲାରେ ସରୋଜ ଜେନାଙ୍କ ସହ ସଂପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ କଟକ କ୍ରାଇମବ୍ରାଞ୍ଚ ଟିମ୍ ଉଠାଇ ନେଇ ପଚରାଉଚରା ଜାରି ରଖିଛି। ଚଢ଼ାଉ ପ୍ରାୟ ରାତି ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ସରୋଜ ଜେନା ସେ ସମୟରେ ଘରେ ନଥିବାରୁ ଫେରାର ହୋଇଯାଇଥିଲେ।
ଧର୍ମଶାଳା ଥାନା ଅଧିକାରୀ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଏବେ ତଦନ୍ତକୁ ଜୋରଦାର କରିଛି ଏବଂ ବିଭିନ୍ନ ସ୍ଥାନରେ ଜାଲ ବିଛାଯାଇଛି। ସାଇବର ଠକେଇ ନେଟୱର୍କ ସମ୍ପର୍କରେ ଅଧିକ ତଥ୍ୟ ଖୋଜିବାକୁ ପୁଲିସ ଚେଷ୍ଟା ଜାରି ରଖିଛି।





