ଅନୁଗୁଳ: ଜଣେ ଯୁବକ ଛେଳିକୁ ବଞ୍ଚାଇବାକୁ ଯାଇ କୁମ୍ଭୀର ଆକ୍ରମଣରେ ଗୁରୁତର ଭାବେ ଆହତ ହେବା ଘଟଣା ଅନୁଗୁଳ ଜିଲ୍ଲାରେ ସଂଚଳନ ସୃଷ୍ଟି କରିଛି। କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଝାମ୍ପୁଲି ଗ୍ରାମ ନିକଟସ୍ଥ ଏକ ଯୋର (ପୋଖରୀ) ଭିତରେ ଘଟିଛି ଏହି ଭୟାବହ ଘଟଣା।
ସୂଚନା ଅନୁଯାୟୀ, ଝାମ୍ପୁଲି ଗ୍ରାମର ରଞ୍ଜିତ ପ୍ରଧାନ (୪୭) ଗୁରୁବାର ସକାଳେ ଗାଁ ନିକଟର ଯୋର ପାଖରେ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଜଳପାନ ପାଇଁ ପାଣି ଭିତରକୁ ପଶିଥିବା ଏକ ଛେଳି ଉପରେ କୁମ୍ଭୀର ଆକ୍ରମଣ କରିଥିଲା। ଛେଳିକୁ ବଞ୍ଚାଇବା ପାଇଁ ରଞ୍ଜିତ ପାଣିଭିତରକୁ ଡେଇଁ ପଡ଼ିଥିଲେ। କିନ୍ତୁ ସେ ସମୟରେ କୁମ୍ଭୀର ତାଙ୍କ ବାମହାତକୁ କାମୁଡ଼ି ଟାଣି ନେଇଥିଲା।
ସେ କୁମ୍ଭୀର ସହ ଲଢ଼ି ଜୀବନକୁ ବଞ୍ଚାଇପାରିଥିଲେ, କିନ୍ତୁ ତାଙ୍କ ବାମହାତ କହୁଣୀଠାରୁ ଛିଣ୍ଡି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ରଞ୍ଜିତ ପାଣିଭିତରୁ ବାହାରି ଆସି ଗାଁ ଲୋକଙ୍କ ସହାୟତାରେ ରାଜକିଶୋରନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକକୁ ସ୍ଥାନାନ୍ତର କରାଯାଇଛି।
ରଞ୍ଜିତ, ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ନୂଆପଡ଼ା ଗ୍ରାମର ନିବାସୀ ହୋଇଥିବା ସତ୍ତ୍ୱେ ଝାମ୍ପୁଲି ଗ୍ରାମରେ ଘରଜ୍ୱାଇଁ ଭାବେ ବସବାସ କରୁଥିଲେ। ଘଟଣା ପରେ ସ୍ଥାନୀୟ ଲୋକ ଏବଂ ପରିବାର ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି।
ସ୍ଥାନୀୟ ବାସିନ୍ଦାମାନେ ବନବିଭାଗ ଓ ପ୍ରଶାସନ ତରଫରୁ ରଞ୍ଜିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସହାୟତା ଯୋଗାଇବା ଓ ଅଞ୍ଚଳରେ କୁମ୍ଭୀର ଆତଙ୍କ ନିୟନ୍ତ୍ରଣ ପାଇଁ ତତ୍କାଳୀନ ବ୍ୟବସ୍ଥା ନେବା ଦାବି କରିଛନ୍ତି।





