କଟକ: ଆସନ୍ତା ଐତିହାସିକ ବାଲିଯାତ୍ରାକୁ ଦେଖି କଟକ ଜିଲାପାଳ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ନିର୍ଦ୍ଦେଶ ଜାରି କରିଛନ୍ତି। ବାଲିଯାତ୍ରା ଗ୍ରାଉଣ୍ଡ୍ ଓ ତାହାର ଆସପାସ ୫ କିଲୋମିଟର ପରିଧିକୁ ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ‘ନୋ ଡ୍ରୋନ୍ ଜୋନ୍’ ଭାବେ ଘୋଷଣା କରାଯାଇଛି।
ଏହି ସମୟରେ ଡ୍ରୋନ୍, UAV, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ପାରା ଗ୍ଲାଇଡର୍, ପାରା ମୋଟର୍ ଏବଂ ପାଓର୍ ହ୍ୟାଙ୍ଗ ଗ୍ଲାଇଡର୍ ଉଡ଼ାଣ ସଂପୂର୍ଣ୍ଣ ଭାବେ ନିଷେଧିତ ହେବ।
ଜିଲାପାଳଙ୍କ କହିବା ଅନୁସାରେ, ପ୍ରତିବର୍ଷ ଏହି ମେଳାକୁ ପ୍ରାୟ ୫୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଓ ଦର୍ଶକ ଆସନ୍ତି। ଏହିଥରେ ମଧ୍ୟ ଭିଡ଼ ଅଧିକ ହେବା ଅନୁମାନ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଶକ୍ତ କରାଯାଇଛି।
ଉଲ୍ଲେଖନୀୟ ଯେ, ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଏହି ପାରମ୍ପରିକ ବାଲିଯାତ୍ରା ଆୟୋଜିତ ହେବ, ଯେଉଁଠି ଦେଶ ଓ ବିଦେଶରୁ ଅନେକ ଲୋକ ଯୋଗ ଦେବେ।