ଲମତାପୁଟ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ରାଜ୍ୟର ମାଛକୁଣ୍ଡ ବିଦ୍ୟୁତ ବିଭାଗ ସଜାଗ ହୋଇଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଉପର ମୁଣ୍ଡ ଅଞ୍ଚଳରେ ହୋଇଥିବା ଅଧିକ ବର୍ଷା ଫଳରେ ଜଳାପୁଟ ଏବଂ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଜଳସ୍ତର ବୃଦ୍ଧି ପାଇଲେ ଜଳଭଣ୍ଡାରର ସୁରକ୍ଷାକୁ ବିପଦ ହୋଇପାରେ ବୋଲି ଆଶଙ୍କା କରି, ବିଭାଗୀୟ ଅଧିକାରୀମାନେ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସେହି ଅନୁସାରେ, ୨ ଜଳଭଣ୍ଡାରର ୬ ଟି ଗେଟ୍ ଖୋଲାଯାଇ ପ୍ରତି ସେକେଣ୍ଡରେ ପ୍ରାୟ ୨୮ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି।
ମାଛକୁଣ୍ଡ ଜଳାପୁଟ ଜଳଭଣ୍ଡାରର ୪ ଗେଟ୍ ଖୋଲି ୧୬ ହଜାର କ୍ୟୁସେକ ଜଳ ଛଡ଼ାଯାଇଛି। ବିପଦସଂକେତ ସ୍ତର ୨୭୫୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୨୭୪୭.୭୫ ଫୁଟକୁ ପହଞ୍ଚିଛି। ସେହିପରି ଡି.ଡ୍ୟାମର ୨ ଗେଟ୍ ଖୋଲି ୧୨ ହଜାର କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ଚିତ୍ରକୋଣ୍ଡା ଜଳଭଣ୍ଡାରକୁ ଛଡ଼ାଯାଉଛି। ଏଠାରେ ବିପଦସଂକେତ ସ୍ତର ୨୫୯୦ ଫୁଟ ଥିବା ବେଳେ ବର୍ତ୍ତମାନ ଜଳସ୍ତର ୨୫୮୩ ଫୁଟ ରହିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି, ସରକାର ଏବଂ ବିଦ୍ୟୁତ ବିଭାଗ ଦୁହିଁ ସୁରକ୍ଷା ବ୍ୟବସ୍ଥା ଜୋରଦାର କରିଛନ୍ତି। ଜଳଭଣ୍ଡାର ଏବଂ ତଳସ୍ଥ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି।





