ଭୁବନେଶ୍ୱର: ଆସନ୍ତା କିଛି ଦିନରେ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ଉତ୍ପନ୍ନ ହେବା ଏବଂ ଏହା ବାତ୍ୟା ‘ଶକ୍ତି’ର ଆକାର ଧାରଣ କରିପାରିବା ଆଶଙ୍କା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ (IMD)। ଏହି ବାତ୍ୟା ମେ ୨୩ରୁ ୨୮ ମଧ୍ୟରେ ବିକଶିତ ହେବା ସମ୍ଭାବନା ରହିଛି ଏବଂ ୨୪ରୁ ୨୬ ତାରିଖ ମଧ୍ୟରେ ଏହା ସ୍ଥଳଭାଗକୁ ଛୁଇଁପାରେ ବୋଲି IMD ସୂଚନା ଦେଇଛି।
ଏହି ବାତ୍ୟା ପ୍ରଧାନତଃ ବାଂଲାଦେଶ ଉପକୂଳ ଅଞ୍ଚଳ, ବିଶେଷକରି ଚଟୋଗ୍ରାମ ଉପରେ ଆଘାତ ଆଣିପାରେ ବୋଲି ସ୍ଥାନୀୟ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି। ତେବେ ଓଡ଼ିଶା ଉପକୂଳ ଅଞ୍ଚଳର କିଛି ଜିଲ୍ଲା — ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ ଓ ଖୋର୍ଦ୍ଧା ମଧ୍ୟରେ ମଧ୍ୟମ ଧରଣର ପ୍ରଭାବ ଦେଖାଯିବା ସମ୍ଭାବନା ରହିଛି।
ମେ ୨୪ରୁ ୨୭ ମଧ୍ୟରେ ଏହି ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ୪୦ରୁ ୬୦ କି.ମି. ପର୍ଯ୍ୟନ୍ତ ବେଗରେ ବାତାସ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଏହି ବେଳେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପମାଳା ଓ ବଙ୍ଗୋପସାଗରର କିଛି ଅଞ୍ଚଳକୁ ଅଭିମୁଖୀନ ହୋଇଛି ବୋଲି IMD ଘୋଷଣା କରିଛି। ମେ ୧୩ ରେ ଜାରି ହୋଇଥିବା ପ୍ରେସ୍ ରିଲିଜରେ IMD କହିଛି ଯେ, ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗକୁ ଆଗେ ବଢ଼ୁଛି ଓ ଏହା ୧.୫ରୁ ୭.୬ କି.ମି. ଉଚ୍ଚତାରେ ବିକାଶ ଅବସ୍ଥାରେ ଅଛି।