ଭୁବନେଶ୍ୱର: ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ଡିଆରଡିଓ (DRDO) ଦ୍ୱାରା ବିକଶିତ ଦୂରଗାମୀ ଗାଇଡେଡ୍ ରକେଟ ‘ପିନାକା’ର ପ୍ରଥମ ଫ୍ଲାଇଟ୍ ଟେଷ୍ଟ ସୋମବାର ଓଡ଼ିଶା ଉପକୂଳ ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ITR)ରେ ସଫଳତାର ସହ ସମ୍ପନ୍ନ ହୋଇଛି।

ଏହି ପରୀକ୍ଷଣ ସମୟରେ ରକେଟକୁ ପ୍ରାୟ ୧୨୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ନିକ୍ଷେପ କରାଯାଇଥିଲା। ଫ୍ଲାଇଟ୍ ସମୟ ସମ୍ପୂର୍ଣ୍ଣ ଯୋଜନା ଅନୁଯାୟୀ ରକେଟ ଆଶାଅନୁରୂପ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରି ଉଚ୍ଚ ସଠିକତା ସହିତ ଲକ୍ଷ୍ୟଭେଦ କରିଥିବା ଡିଆରଡିଓ ପକ୍ଷରୁ କୁହାଯାଇଛି।

ଫ୍ଲାଇଟ୍ ପରୀକ୍ଷଣ ସମୟରେ ନିୟୋଜିତ ସମସ୍ତ ରେଞ୍ଜ ଉପକରଣ ରକେଟର ଗତିପଥ ଓ କାର୍ଯ୍ୟକଳାପକୁ ସଫଳତାର ସହ ଟ୍ରାକ୍ କରିଥିଲେ। ଏହି ଦୂରଗାମୀ ଗାଇଡେଡ୍ ରକେଟକୁ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (ARDE) ଦ୍ୱାରା, ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବୋରେଟୋରୀ (HEMRL) ସହ ମିଶି ଡିଆରଡିଓର ଅନ୍ୟାନ୍ୟ ଗବେଷଣା କେନ୍ଦ୍ରମାନଙ୍କ ସହଯୋଗରେ ଡିଜାଇନ୍ ଏବଂ ବିକାଶ କରାଯାଇଛି।

ଆଇଟିଆର ଓ ପ୍ରୁଫ୍ ଆଣ୍ଡ ଏକ୍ସପେରିମେଣ୍ଟାଲ୍ ଏଷ୍ଟାବ୍ଲିସମେଣ୍ଟର ସମନ୍ୱୟରେ ଏହି ପରୀକ୍ଷଣ କରାଯାଇଥିଲା। ଗାଇଡେଡ୍ ପିନାକାକୁ ବର୍ତ୍ତମାନ କାର୍ଯ୍ୟରତ ପିନାକା ଲଞ୍ଚର୍ ରୁ ଉତକ୍ଷେପଣ କରାଯାଇଥିବାରୁ, ଗୋଟିଏ ଲଞ୍ଚର୍ ଦ୍ୱାରା ବିଭିନ୍ନ ରେଞ୍ଜର ପିନାକା ଭେରିଏଣ୍ଟ ନିକ୍ଷେପ କରିବାର କ୍ଷମତା ସ୍ପଷ୍ଟ ହୋଇଛି।

ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଡିଆରଡିଓକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଦୂରଗାମୀ ଗାଇଡେଡ୍ ରକେଟ ପିନାକାର ସଫଳ ଡିଜାଇନ୍ ଓ ବିକାଶ ଭାରତୀୟ ସଶସ୍ତ୍ର ବାହିନୀର କାର୍ଯ୍ୟକ୍ଷମତାକୁ ଆହୁରି ସୁଦୃଢ଼ କରିବ। ସେ ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ସାଧନା ବୋଲି ମତ ପ୍ରକାଶ କରିଛନ୍ତି।

ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡକ୍ଟର ସମୀର ଭି. କାମତ ନିଜେ ପରୀକ୍ଷଣ ଅବଲୋକନ କରିଥିବା ସହ ସମସ୍ତ ସଂପୃକ୍ତ ବୈଜ୍ଞାନିକ ଓ ପ୍ରାଯୁକ୍ତିକ ଦଳକୁ ମିଶନ ସଫଳ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି।