ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହିତାଧିକାରୀମାନଙ୍କ ପାଇଁ ସୁଖବର ଆସିଛି। ଯେଉଁମାନେ ଏପର୍ଯ୍ୟନ୍ତ ନିଜ ଇ-କେୱାଇସି (E-KYC) କରାଇ ପାରିନାହାନ୍ତି, ସେମାନେ ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ନିକଟସ୍ଥ ସୁଲଭ ମୂଲ୍ୟ ଦୋକାନ ବା ରାସନକାର୍ଡ ପରିଚାଳନା କେନ୍ଦ୍ରକୁ ଯାଇ ଆଧାରଯୁକ୍ତ ଇ-କେୱାଇସି କରାଇପାରିବେ। ଏହା ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଅଧିକୃତ ସୂଚନା ଦିଆଯାଇଛି।

ଖାଦ୍ୟ ଯୋଗାଣ ବିଭାଗର ସୂଚନା

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କହିଛି ଯେ ରାଜ୍ୟର ସମସ୍ତ ପିଡ଼ିଏସ୍‌ (PDS) ହିତାଧିକାରୀଙ୍କ ପାଇଁ ଇ-କେୱାଇସି ପ୍ରକ୍ରିୟା ଚାଲିଛି ଏବଂ ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି ରହିବ। ସମସ୍ତ ୧୧,୮୨୭ ଖାଉଟି ସୁଲଭ ମୂଲ୍ୟ ଦୋକାନ, ୩୧୪ ବ୍ଲକ ଏବଂ ୬୪ ପୌରାଞ୍ଚଳ କାର୍ଯ୍ୟାଳୟରେ ରାସନକାର୍ଡ ପରିଚାଳନା କେନ୍ଦ୍ର ମାଧ୍ୟମରେ ଏହା ଚାଲିଛି।

ଏହି ସମୟରେ ଯେଉଁ ହିତାଧିକାରୀ ଇ-କେୱାଇସି କରାଇନାହାନ୍ତି, ସେମାନଙ୍କୁ ପୂର୍ବଭଳି ପିଡ଼ିଏସ୍‌ ସାମଗ୍ରୀ ମିଳୁଛି ଏବଂ କେହି ମଧ୍ୟ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେଉନାହାନ୍ତି ବୋଲି ବିଭାଗ ସୂଚନା ଦେଇଛି।

ମନ୍ତ୍ରୀଙ୍କ କଥା

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂର୍ବରୁ କହିଥିଲେ ଯେ ଇ-କେୱାଇସି ନ କରିଥିବା ହିତାଧିକାରୀମାନେ ଆସନ୍ତା ମାସରୁ ରାସନ ସାମଗ୍ରୀ ପାଇବେ ନାହିଁ। ସେ କହିଥିଲେ, “ଯଦି କେନ୍ଦ୍ର ସରକାର ଅବଧି ବଢ଼ାଇବେ, ତେବେ ରାଜ୍ୟ ସରକାର ମଧ୍ୟ ବିଚାର କରିବ।”

ସମ୍ପ୍ରତି ତଥ୍ୟ ଅନୁଯାୟୀ, ରାଜ୍ୟରେ ଏବେ ବି ୧୫ ଲକ୍ଷ ୬୭ ହଜାରରୁ ଅଧିକ ରାସନକାର୍ଡଧାରୀ ଇ-କେୱାଇସି କରିନାହାନ୍ତି।