ରାଉରକେଲା/ସାରନଗରୀ: ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ଏରଗେଡ଼ା ଗ୍ରାମରେ ରବିବାର ପୂର୍ବାହ୍ଣରେ ହୃଦୟବିଦାରକ ହାତୀ ଆକ୍ରମଣ ଘଟିଛି। ହିଂସ୍ର ଦନ୍ତା ହାତୀର ଆକ୍ରମଣରେ ମାଙ୍ଗରା ତିର୍କୀ (୪୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।
ଘଟଣାସ୍ଥଳରେ ଦୁଇ ଦନ୍ତାର ଲଢେଇ – ଗାଁଲୋକ ଭୟଭୀତ
ପୂର୍ବାହ୍ଣ ସମୟରେ ଗ୍ରାମ ନିକଟରେ ଦୁଇଟି ଦନ୍ତା ହାତୀ ମଧ୍ୟରେ ଭୟଙ୍କର ଲଢେଇ ଚାଲିଥିବା ଦେଖାଯାଇଥିଲା। ସ୍ଥାନୀୟମାନଙ୍କ ସୂଚନା ପରେ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ହାତୀମାନୋଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ବିଫଳ ହୋଇଥିଲେ।
ପିକ୍ଅପ୍ ଭ୍ୟାନ୍ ପାଖରେ ଲୁଚିଲେ, ତଥାପି ବଞ୍ଚିପାରିଲେନି
ଲୋକମାନଙ୍କ ଉପରେ ହାତୀମାନଙ୍କ ରାଗ ଅଧିକ ବଢ଼ିଥିଲା। ଆକ୍ରମଣରୁ ବର୍ତ୍ତିବା ପାଇଁ ମାଙ୍ଗରା ତିର୍କୀ ଏକ ପିକ୍ଅପ୍ ଭ୍ୟାନ୍ ପାଖରେ ଲୁଚିଥିଲେ।
କିନ୍ତୁ ଉନ୍ମାଦୀ ଦନ୍ତାମାନେ ଭ୍ୟାନଟିକୁ ଓଲଟାଇ ଯୁବକଙ୍କୁ ତାଙ୍କ ଦାନ୍ତରେ କଣା କରି ପକାଇଥିଲେ।
ଫଳରେ ସେଠାରେ ମାଙ୍ଗରାଙ୍କ ଦୁର୍ଦାନ୍ତ ମୃତ୍ୟୁ ଘଟିଥିଲା।
ଘଟଣା ପରେ ବନ ବିଭାଗ ବନ୍ଧମୁଣ୍ଡା ଓ ପାନପୋଷ ଅଞ୍ଚଳର ଅତିରିକ୍ତ କର୍ମଚାରୀଙ୍କୁ ଡକାଇ ହାତୀ ଘଉଡ଼ାଇବା ପ୍ରଚେଷ୍ଟା ଜାରି ରଖିଛି।
ରାଜ୍ୟରେ ଅଘୋଷିତ ‘ମଣିଷ-ହାତୀ ଯୁଦ୍ଧ’ ଜାରି
ପ୍ରାୟ ସମସ୍ତ ଜିଲ୍ଲାରେ ହାତୀ ଉପଦ୍ରବ ଏବେ ଦୈନିକ ଘଟଣାର ରୂପ ନେଇଛି।
ଖରିଫ ଧାନ ଅମଳ ଋତୁ ଆରମ୍ଭ ହେବା ସହିତେ ହାତୀମାନେ ଜଙ୍ଗଲ ଛାଡ଼ି ଗାଁ ଅଭିମୁଖେ ଆସୁଛନ୍ତି; ଶହଶହ ଏକର ଫସଲ ନଷ୍ଟ କରୁଛନ୍ତି, ଚାଷୀ ଏବଂ ପଥଚାରୀଙ୍କ ଉପରେ ଆକ୍ରମଣ କରୁଛନ୍ତି।
ସରକାର ଏବଂ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା ଜାରି ରହିଛି; ତଥାପି ମଣିଷ ଏବଂ ହାତୀ ମଧ୍ୟରେ ଅଘୋଷିତ ଯୁଦ୍ଧ ଅବିରତ ଚାଲିଛି।





