ନୂଆଦିଲ୍ଲୀ — ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ବଢୁଥିବା ହାତୀ ଉପଦ୍ରବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଶେଷ କାର୍ଯ୍ୟୟୋଜନା ଆରମ୍ଭ କରିଛି। ଲୋକସଭାରେ ଏହି ବିଷୟ ଉଠାଇ ସାଂସଦ ରୁଦ୍ର ନାରାୟଣ ପାଣି ରାଜ୍ୟରେ ପୁନରାବୃତ୍ତି ଘଟୁଥିବା ହାତୀ ଆକ୍ରମଣ, ଜନହାନି ଓ ଆର୍ଥିକ କ୍ଷତି ସମ୍ବନ୍ଧରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ।

ସେ ଜଣାଇଥିଲେ ଯେ, ୩୧ ଜୁଲାଇରେ ହିନ୍ଦୋଳ ବ୍ଲକ୍‌ର ଗୋଟିଏ ଗ୍ରାମରେ ମାତ୍ର ଏକ ଦିନରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି, ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏକତ୍ର ହୋଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସାଂସଦ ପାଣି କହିଥିଲେ।

ଉତ୍ତରରେ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଥିଲେ ଯେ, ହାତୀ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ “ପ୍ରୋଜେକ୍ଟ ଏଲିଫାଣ୍ଟ” ସମଗ୍ର ଦେଶରେ ଲାଗୁ ହୋଇଛି। ଏହାର ଅନ୍ତର୍ଗତରେ ଏଲିଫାଣ୍ଟ ରିଜର୍ଭ, ଏଲିଫାଣ୍ଟ କରିଡର ସ୍ଥାପନ ଓ ବିଶେଷ ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରାଯାଉଛି।

ମନ୍ତ୍ରୀ ଆହୁରି କହିଥିଲେ ଯେ, ରେଳ ବିଭାଗ ସହିତ ସମନ୍ୱୟ କରି ବିଶେଷ ଆଡଭାଇଜାରୀ ଓ SOP ପ୍ରସ୍ତୁତ ହୋଇଛି। ଓଡିଶା ସରକାର ସହ ମିଳି ଏହି ଯୋଜନାକୁ ପ୍ରଭାବଶୀଳ ଭାବରେ କାର୍ଯ୍ୟନ୍ୱୟନ କରାଯାଇବ।