ଖପ୍ରାଖୋଲ : କୃଷି ହେଉଛି ଜୀବନର ମୂଳ ଆଧାର, କିନ୍ତୁ ସରକାରୀ ବ୍ୟବସ୍ଥାର ଅବ୍ୟବସ୍ଥା ଆଜି ଚାଷୀଙ୍କ ଯନ୍ତ୍ରଣାକୁ ଦ୍ବିଗୁଣ କରିଦେଇଛି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପେକ୍ସରେ ଧାନ ବିକ୍ରି ପାଇଁ ଚାଷୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଛି।
ଚଳିତ ଖରିଫ ଋତୁରେ ଧଣ୍ଡାମୁଣ୍ଡା ମଣ୍ଡିରେ ମୋଟ ୯୩୪ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ବେଳେ, ସେଥିରୁ କେବଳ ୨୨୬ଜଣ ଚାଷୀଙ୍କୁ ଟୋକନ ମିଳିଛି। ତେବେ ଟୋକନ ପାଇଥିଲେ ମଧ୍ୟ ମଣ୍ଡିରେ ଧାନ କିଣାବିକା ଆରମ୍ଭ ନହେବାରୁ ଚାଷୀମାନେ ଧାନ ବିକ୍ରି କରିପାରୁନଥିବା ଜଣାପଡ଼ିଛି।
ମଣ୍ଡି ଉଦ୍ଘାଟନ ହୋଇ ଦଶରୁ ବାର ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ମିଲର ଧାନ ଉଠାଇବାକୁ ଆସିନାହାନ୍ତି। ଫଳରେ ଟୋକନ ପାଇଥିବା ଚାଷୀମାନେ ମଧ୍ୟ ନିଜ ଧାନ ମଣ୍ଡିରେ ପକାଇ ରଖି ଦିନକୁ ଦିନ ଅପେକ୍ଷା କରୁଛନ୍ତି। ଅନେକ ଚାଷୀ ନଭେମ୍ବର ୧୫ ତାରିଖରୁ ଧାନ କଟା ସମାପ୍ତ କରିଥିଲେ, କିନ୍ତୁ ବିକ୍ରି ବ୍ୟବସ୍ଥା ନଥିବାରୁ ସେମାନେ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି।
ଟୋକନ ଓ ଧାନ କ୍ରୟ ବ୍ୟବସ୍ଥା ନେଇ ଅସନ୍ତୋଷ
ଚାଷୀମାନଙ୍କ ଅଭିଯୋଗ ଅନୁଯାୟୀ, କେବେ ଟୋକନ ସମସ୍ୟା ତ କେବେ ଟାର୍ଗେଟ ନିର୍ଦ୍ଧାରଣର ଅଭାବ ଯୋଗୁଁ ଚଳିତ ବର୍ଷ ଧାନ କ୍ରୟ ପ୍ରକ୍ରିୟା ଭାରି ପ୍ରଭାବିତ ହୋଇଛି। ପୂର୍ବବର୍ଷଗୁଡ଼ିକରେ ଏହି ସମୟ ସୁଦ୍ଧା ଅଧିକାଂଶ ଚାଷୀଙ୍କ ଧାନ ମିଲକୁ ଯାଇଥିବା ବେଳେ, ଏବର୍ଷ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ ରହିଛି।
ଚାଷୀଙ୍କ ଦାବି
ଧଣ୍ଡାମୁଣ୍ଡା ଅଞ୍ଚଳର ଚାଷୀମାନେ ଶୀଘ୍ର ସମସ୍ତ ପଞ୍ଜୀକୃତ ଚାଷୀଙ୍କୁ ଟୋକନ ଦେବା ସହ ମଣ୍ଡିରେ ଧାନ କ୍ରୟ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି। ସମୟମତେ ଧାନ ବିକ୍ରି ନହେଲେ ଚାଷୀମାନେ ଆହୁରି ଭାରି ଆର୍ଥିକ ସମସ୍ୟାରେ ପଡ଼ିବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।





