ଭୁବନେଶ୍ୱର, ୨୩।୧୨:ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ତତ୍ପରତା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷିତରେ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଜଳ ସମ୍ପଦ ବିଭାଗର ‘ରାଜୀବ ଭବନ’ରେ ଅନୁଷ୍ଠିତ ହୋଇଛି। ବୈଠକଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା।

ବୈଠକରେ ମହାନଦୀ ଜଳ ବିବାଦ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରାଥମିକ ସମୀକ୍ଷା କରାଯାଇଥିଲା। ବିଶେଷକରି ବିବାଦର ପୂର୍ବପ୍ରସଙ୍ଗ, ହୀରାକୁଦ ପ୍ରକଳ୍ପ ସମ୍ବନ୍ଧୀୟ ତଥ୍ୟ ଏବଂ ମହାନଦୀ ଅବବାହିକାର ସାମଗ୍ରିକ ସ୍ଥିତି ଉପରେ ଗଭୀର ଆଲୋଚନା ହୋଇଥିଲା।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ରେ ଚାଲିଥିବା ମାମଲାର ବର୍ତ୍ତମାନ ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥାକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ଛତିଶଗଡ଼ ସହ ଆଲୋଚନା ମାଧ୍ୟମରେ କିପରି ସମସ୍ୟାର ସମାଧାନ କରାଯାଇପାରିବ, ସେଥିପାଇଁ ଏକ ରଣନୀତି ରୂପରେଖା ତିଆରି କରାଯାଇଛି। ଏହା ସହିତ ଓଡ଼ିଶାର ଜଳ ସ୍ୱାର୍ଥ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।

ଏହି ଉଚ୍ଚସ୍ତରୀୟ ସର୍ବଦଳୀୟ ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉପସ୍ଥିତ ଥିଲେ। ବିଧାୟକ ସରୋଜ କୁମାର ପ୍ରଧାନ, ନିରଞ୍ଜନ ପୂଜାରୀ ଓ ସୋଫିଆ ଫିର୍ଦୋସ ବୈଠକରେ ସାମିଲ ହୋଇଥିଲେ। ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିବାବେଳେ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଉନ୍ନୟନ କମିଶନର ଅନୁ ଗର୍ଗ ବୈଷୟିକ ତଥ୍ୟ ଉପସ୍ଥାପନ କରିଥିଲେ।