ନୂଆଦିଲ୍ଲୀ/ଗଜପତି: ଗଜପତି ଜିଲ୍ଲା ପାଇଁ ଗର୍ବର ମୁହୂର୍ତ୍ତ। ଆଦିବାସୀ ସମୁଦାୟର ୧୭ ବର୍ଷୀୟ କିଶୋରୀ ଜ୍ୟୋତ୍ସ୍ନା ଶବର ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଜ୍ୟୋତ୍ସ୍ନା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍‌ ଅନ୍ତର୍ଗତ ମାର୍ଲବା ପଞ୍ଚାୟତର ପେକଟ ଗ୍ରାମର ବାସିନ୍ଦା ଏବଂ କୀର୍ତ୍ତନ ଶବରଙ୍କ କନ୍ୟା।

ଶୁକ୍ରବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ୟୋତ୍ସ୍ନାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ।

ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ଚୟନ କରାଯାଇଥିବା ବେଳେ, ଓଡ଼ିଶାରୁ ଜ୍ୟୋତ୍ସ୍ନା ଏକମାତ୍ର ପୁରସ୍କାର ପ୍ରାପ୍ତା ଭାବେ ଚୟନିତ ହୋଇଛନ୍ତି। ଏହା ସହ ସେ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ଜାତୀୟ ସମ୍ମାନ ହାସଲ କରିଛନ୍ତି।

ଭାରୋତ୍ତୋଳନରେ ଦୃଢ଼ ପଦଚିହ୍ନ

ଜ୍ୟୋତ୍ସ୍ନା ଶବର ଭାରୋତ୍ତୋଳନ (ୱେଟଲିଫ୍ଟିଂ) କ୍ଷେତ୍ରରେ ତାଙ୍କର ଅସାଧାରଣ ପ୍ରଦର୍ଶନ ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଗୌରବଜନକ ସଫଳତା ଅର୍ଜନ କରିଛନ୍ତି। ୨୦୧୯ ମସିହାରୁ ସେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ (KISS)ରେ ରହି ଶିକ୍ଷା ଗ୍ରହଣ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ନିୟମିତ ପ୍ରଶିକ୍ଷଣ ନେଇଆସୁଛନ୍ତି।

ଜ୍ୟୋତ୍ସ୍ନାଙ୍କ ଏହି ସଫଳତାକୁ ନେଇ ସମଗ୍ର ଗଜପତି ଜିଲ୍ଲାବାସୀ ଓ ଜିଲ୍ଲା ପ୍ରଶାସନ ଗର୍ବ ଓ ଆନନ୍ଦ ପ୍ରକାଶ କରିଛନ୍ତି। ଏହି ଉତ୍ସବର ଏକ ଭିଡିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସେୟାର କରି ଜ୍ୟୋତ୍ସ୍ନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।