ଭୁବନେଶ୍ୱର:

ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସିର ଖବର। ଏଣିକି ଭିସା ପାଇଁ କୋଲକତା, ଦିଲ୍ଲୀ କିମ୍ବା ହାଇଦ୍ରାବାଦ ଭଳି ଅନ୍ୟ ସହରକୁ ଯିବାର ଆବଶ୍ୟକତା ରହିବନି। ଭୁବନେଶ୍ୱରରେ ‘ଗ୍ଲୋବାଲ ଭିସା ଆପ୍ଲିକେସନ ସେଣ୍ଟର’ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ଦେଇଥିବା ବେଳେ, ପ୍ରସ୍ତାବିତ ଭିସା ଆପ୍ଲିକେସନ ସେଣ୍ଟର ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ବାବାସାହେବ ଆମ୍ବେଦକର ବସ୍ ଟର୍ମିନାଲ୍ ବିଲ୍ଡିଂରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ଏହା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରାୟ ୩ ହଜାର ବର୍ଗଫୁଟ୍ ଜାଗା ଯୋଗାଇ ଦିଆଯିବ।

ସୂଚନାଯୋଗ୍ୟ ଯେ, ଆନ୍ତର୍ଜାତିକ ଭିସା ପାଇବାକୁ ପୂର୍ବରୁ ଓଡ଼ିଶାର ଆବେଦକମାନେ କୋଲକତା, ଦିଲ୍ଲୀ ଓ ହାଇଦ୍ରାବାଦ ଭଳି ସହରକୁ ଯାତ୍ରା କରିବାକୁ ବାଧ୍ୟ ହେଉଥିଲେ। ଭୁବନେଶ୍ୱରରେ ଏକ ଭିସା ସେଣ୍ଟର ସ୍ଥାପନ ପାଇଁ ଦୀର୍ଘଦିନ ଧରି ରାଜ୍ୟବାସୀଙ୍କ ମଧ୍ୟରେ ଦାବୀ ଥିଲା।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଭିସା ଆବେଦନ ପ୍ରକ୍ରିୟା ଅଧିକ ସହଜ, ସମୟ ସଞ୍ଚୟକାରୀ ଓ ସୁଗମ ହେବା ସହ ଓଡ଼ିଶାବାସୀଙ୍କୁ ବଡ଼ ସହରକୁ ଯାତ୍ରା କରିବାର ଅସୁବିଧାରୁ ମୁକ୍ତି ମିଳିବ ବୋଲି ଆଶା କରାଯାଉଛି।