ଭୁବନେଶ୍ୱର: ସୁନା ଓ ରୁପା ଦରରେ ଲଗାତାର ହ୍ରାସ ପରେ ବୁଧବାର ପୁଣିଥରେ ବୃଦ୍ଧି ଦେଖାଯାଇଛି, ଯାହା ଗ୍ରାହକଙ୍କୁ ଆଉଥରେ ଝଟକା ଦେଇଛି। ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦର ୩,୪୫୦ ଟଙ୍କା ବୃଦ୍ଧି ପାଇ ୧,୩୪,୪୫୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୪ କ୍ୟାରେଟ୍ ସୁନାର ଦର ୩,୭୬୦ ଟଙ୍କା ବଢ଼ି ୧,୪୬,୬୭୦ ଟଙ୍କା ହୋଇଛି।
ରୁପା ଦରରେ ମଧ୍ୟ ଜୋରଦାର ବୃଦ୍ଧି ହୋଇଛି। ପ୍ରତି କିଲୋଗ୍ରାମ ରୁପା ଦର ୧୦,୦୦୦ ଟଙ୍କା ବଢ଼ି ୨,୬୦,୦୦୦ ଟଙ୍କାକୁ ପହଞ୍ଚିଛି। କେବଳ ଭୁବନେଶ୍ୱର ନୁହେଁ, ସମଗ୍ର ଦେଶରେ ଏହି ଦର ବୃଦ୍ଧି ପ୍ରଭାବ ପକାଇଛି।
Indian Bullion and Jewellers Association (ଆଇବିଜେଏ) ତଥ୍ୟ ଅନୁଯାୟୀ, ଦେଶସ୍ତରରେ ୨୪ କ୍ୟାରେଟ୍ ସୁନା ଦର ପ୍ରାୟ ୫,୦୦୦ ଟଙ୍କା ବୃଦ୍ଧି ପାଇ ୧.୪୫ ଲକ୍ଷ ଟଙ୍କାକୁ ପହଞ୍ଚିଛି। ରୁପା ଦର ମଧ୍ୟ ପ୍ରାୟ ୯,୦୦୦ ଟଙ୍କା ବଢ଼ି ୨.୩୪ ଲକ୍ଷ ଟଙ୍କା ହୋଇଛି।
ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୧୮ ରୁ ୨୪ ମଧ୍ୟରେ ସୁନା ଦର ଲଗାତାର ହ୍ରାସ ପାଇଥିଲା। ଏହି ସମୟରେ ୨୨ କ୍ୟାରେଟ୍ ସୁନା ୧୩,୯୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ୧୫,୧୭୦ ଟଙ୍କା ପର୍ଯ୍ୟନ୍ତ ସସ୍ତା ହୋଇଥିଲା, ଯାହା ଦ୍ୱାରା ବଜାରରେ ଗ୍ରାହକ ଭିଡ଼ ବଢ଼ିଥିଲା।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଦର କମିଥିବା ସମୟରେ ନିବେଶ ବଢ଼ିଥିଲା। ଏହା ଫଳରେ ଚାହିଦା ବୃଦ୍ଧି ପାଇ ଏବେ ପୁଣି ସୁନା ଓ ରୁପା ଦର ଉପରମୁଖୀ ହୋଇଛି। ଉଚ୍ଚ ଦର ଥିବା ସତ୍ତ୍ୱେ ନିବେଶକମାନେ ଏବେ ମଧ୍ୟ ସତର୍କ ଭାବେ ବଜାରକୁ ନଜର ରଖୁଛନ୍ତି।





